ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳ ସ୍ଥିତ ବଜରଙ୍ଗ ଷ୍ଟିଲ୍ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଗର୍ଜନ ଗ୍ରାମର ଜାଭିୟର ସଏ(୩୮)। ଉପଯୁକ୍ତ କ୍ଷତିପୂରଣ ଦାବିରେ ପରିବାରବର୍ଗ ଦାବି କରିବାସହ ଶବ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
ଗୁରୁବାର ରାତି ପ୍ରାୟ ୮ଟା। ଜାଭିୟର ହାଇଡ୍ରାରୁ ଲୋଡିଂ, ଅନଲୋଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ଏକ ବଡ଼ ଲୁହା ଖଣ୍ଡ ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ। ପରେ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା; ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ଭବତଃ ଘଟଣାସ୍ଥଳରେ ହିଁ ଜାଭିୟରଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଭୋର୍ ପ୍ରାୟ ୩ଟାରେ ପରିବାରବର୍ଗଙ୍କୁ ସୂଚନା ଦିଆଯିବାପରେ ସେମାନେ ଆର୍ଜିଏଚ୍ରେ ପହଞ୍ଚିଥିଲେ। ଆଜି ସକାଳେ ପରିବାରବର୍ଗ ଓ ବହୁସଂଖ୍ୟକ ଗ୍ରାମବାସୀ ପହଞ୍ଚି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏମିତିକି କ୍ଷତିପୂରଣ ନ ମିଳିଲେ ଶବ ଗ୍ରହଣ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନଥିବାରୁ ଶବ ମର୍ଗ ହାଉସ୍ରେ ପଡ଼ିରହିଛି।