ଥାନା ପରିସରରେ କେତେ ଗୁଡିଏ ଛେଳି ଥିବା ଦେଖି ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା। ଏହି ଛେଳିଙ୍କୁ ଥାନାରେ କାହିଁକି ରଖାଯାଇଛି ତାହା ଜାଣିବାକୁ ଲୋକଙ୍କ ମନରେ ଉତ୍ସକତା ଦେଖାଯାଇଥିଲା।

ଖୋଳତାଡ଼ ପରେ ଜଣା ପଡିଲା ଅସଲ କଥା। ବିରମିତ୍ରପୁର ପୋଲିସ ଏକ ଛେଳି ଚୋରି କରୁଥିବା ରାକେଟ ର ପର୍ଦାଫସ କରିଥିଲା। ପୋଲିସ ପ୍ରାୟ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ୪ ଟି ଛେଳିକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛନ୍ତି। ଅନ୍ୟ ୩ ଜଣ ଚୋର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିରମିତ୍ରପୁର ଅଞ୍ଚଳରେ କିଛିଦିନ ହେଲା ଛେଳି ଚୋରି ଘଟଣା ନେଇ ଗ୍ରାମବାସୀ ମାନେ ଚିନ୍ତିତ ଥିଲେ। ନିୟମିତ ଭାବେ ଛେଳି ଚୋରି ହେଉଥିବାରୁ ଗ୍ରାମବାସୀ ମାନେ ଚୋର ମାନଙ୍କୁ ଧରିବାକୁ ଜାଲ ବିଛାଇଥିଲେ। ଶୁକ୍ରବାର ଦିନ ଛେଳି ଚୋର ମାନେ ଏକ ଅଟୋରେ ୪ ଟି ଛେଳି ଚୋରି କରି ନେଇ ଯାଉଥିବା ବେଳେ ଲୋକଙ୍କ ହାତରେ ଧରପଡିଥିଲେ। ବିରମିତ୍ରପୁର ୧୧ ନମ୍ବର ୱାର୍ଡ ର ତାଳସେରା ନିକଟରେ ଲୋକମାନେ ଅଟୋକୁ ଅଟକାଇ ଥିଲେ। ଘଟଣା ସ୍ଥଳରୁ ୩ ଜଣ ଚୋର ଫେରାର ହୋଇଯାଇଥିବା ବେଳେ ଅଟୋ ଡ୍ରାଇଭର ଧରାପଡିଥିଲା। ପରେ ଗ୍ରାମବାସୀ ମାନେ ଉଦ୍ଧାର ଛେଳି ସହ ଅଟୋ ଡ୍ରାଇଭରକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଛେଳି ଚୋରି ରାକେଟ ର ଫେରାର ସଦସ୍ୟ ମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।