ଓଡିଶା ଖଣି ନିଗମ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକଙ୍କ ସୁନ୍ଦରଗଡ଼ ଗସ୍ତ।। କୋଇଡରେ ଛାତ୍ରଛାତ୍ରୀ ଙ୍କ ଲାଗି ଦୁଇଟି ବସ ଲୋକାର୍ପିତ।

0 372

ସୁନ୍ଦରଗଡ଼/ରାଉରକେଲା, ୯ ଜୁନ୍ ୨୦୨୨: ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଗସ୍ତର ପ୍ରଥମ ଦିନରେ ସେମାନେ କୋଇଡ଼ାସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ୨ଟି ବସ୍ ସେବାର ଶୁଭାରମ୍ଭ କରିଛନ୍ତି।

ଗୁରୁବାର ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ପ୍ରଥମେ କୋଇଡ଼ାରେ ପହଞ୍ଚି ସ୍ଥାନୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଚଳିତ ଶିକ୍ଷାବର୍ଷଠାରୁ ଏଠାରେ ବିଭିନ୍ନ ବିଷୟରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଷ୍ଠାନରେ କେବଳ ଖଣି ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସ୍ଥାନୀୟ ଯୁବକ ଯୁବତୀ ଏଠାରୁ ତାଲିମ ନେବା ଦ୍ୱାରା ସେମାନଙ୍କ ଲାଗି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଶିଳ୍ପ ତାଲିମ ପ୍ରତିଷ୍ଠାନର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଅନୁଷ୍ଠାନର ଅଧ୍ୟକ୍ଷ ଓ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଦେଓରଞ୍ଜନ କୁମାର ସିଂ ଏବଂ ଶ୍ରୀଯୁକ୍ତ ବଲୱନ୍ତ ସିଂ। ଓଡ଼ିଶା ଖଣି ନିଗମ ଦୁଇବର୍ଷ ଲାଗି ଏହି ଶିଳ୍ପ ତାଲିମ ପ୍ରତିଷ୍ଠାନର ପରିଚାଳନା ଖର୍ଚ୍ଚ ବହନ କରିବ।

ଏହି ଅବସରରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ଲାଗି ୨ଟି ବସ୍ ସେବାର ଶୁଭାରମ୍ଭ କରାଯାଇଥିଲା। ବସ୍ ସେବା ବ୍ୟତୀତ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ, ପ୍ରିନ୍ସିପାଲ୍ ଓ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ କରାଯାଉଛି। ଏସବୁ ବ୍ୟୟବରାଦ ସହ ପ୍ରତିଷ୍ଠାନରେ ପାଠପଢ଼ା ଲାଗି ବିଭିନ୍ନ ପ୍ରାକ୍ଟିକାଲ ଉପକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହା ବ୍ୟତୀତ ସଭାରେ ଉପସ୍ଥିତ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ। ଛତୁ ଉତ୍ପାଦନ, ଶାଳ ପତ୍ରରେ ତିଆରି ଥାଳି, ଫିନାଇଲ, ଏଲ୍ଇଡି ବଲ୍ବ, ନୁଡୁଲସ ପ୍ରସ୍ତୁତି ଭଳି ଘରୋଇ କ୍ଷୁଦ୍ର ଉଦ୍ୟୋଗ ଜରିଆରେ ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇପାରୁଛନ୍ତି, ସେ ବିଷୟରେ ଆଲୋଚନା ହୋଇଥିଲା।

ସେହିପରି ବସୁନ୍ଧରା ଯୋଜନାରେ ୯ ଜଣ ଭୂମିହୀନ ହିତାଧିକାରୀ ଏବଂ ୫-ଟି ଅଧୀନରେ ଚୋରଧରା ଓ ବଡ଼ ବାଲିଯୋର ରୂପାନ୍ତରିତ ହାଇସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ଏହାସହ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ ନାୟକ, କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ, ତହସିଲଦାର ଡି.ଏସ୍. ଶୁଭଦର୍ଶୀ ଯୋଶୀ ଏବଂ ଓଡ଼ିଶା ଖଣି ନିଗମ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.