ଆଜି ସାବିତ୍ରୀ ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏହି ଦିନ ସଧବା ସ୍ତ୍ରୀ ଲୋକମାନେ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି। ସାବିତ୍ରୀ ଓଷାରେ ବ୍ରତାଧାରୀ ସଧବା ସ୍ତ୍ରୀ ଲୋକ ମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ । ପୂଜା ସରିବା ପରେ ଅପରାହ୍ଣରେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ କରାଯାଇଥାଏ। ମନ୍ଦିରରେ ଏବଂ ବଟ ବୃକ୍ଷ ମୂଳେ ମଧ୍ୟ ସାବିତ୍ରୀ ବ୍ରତ ଓଷା କରାଯାଇଥାଏ।

ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ କିପରି ନିଜ ନିଷ୍ଠା ଏବଂ ବୁଦ୍ଧି ବଳରେ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲେ , ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସ୍ୱାମୀର ଦୀର୍ଘ ଜୀବନ କାମନା କର ଓଷା କରୁଛନ୍ତି ସାବିତ୍ରୀ ମାନେ । ପ୍ରତ୍ୟେକ ମନ୍ଦିରରେ ବ୍ରତ ପୂଜା ପାଇଁ ମହିଳାଙ୍କ ଗହଳି ଲାଗିଛି । ଅନ୍ୟପକ୍ଷରେ ଗୃହିଣୀ ମାନେ ଘରକୁ ବ୍ରାହ୍ମଣଙ୍କୁ ଡାକି ମଧ୍ୟ ପୂଜାର୍ଚ୍ଚନା କରୁଛନ୍ତି ।
ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି । ସେଥିପାଇଁ ମହିଳାମାନେ ପ୍ରତିବର୍ଷ ଏହି ଦିନିକୁ ଅପେକ୍ଷା କରିଥାନ୍ତି । କରୋନା ପାଇଁ ବ୍ରତାଧିକାରୀମାନଙ୍କୁ ୨ ବର୍ଷ ହେବ ମନ୍ଦିର ମନାଥିଲା । ଘରେ ସାବିତ୍ରୀ ବ୍ରତରେ ପୂଜାର୍ଚ୍ଚନା କରାଯାଉଥିଲା । ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ମଧ୍ୟ ମହିଳାମାନେ ଯାଇ ସାମୁହିକ ଭାବେ ପୂଜାର୍ଚ୍ଚନା କରିଛନ୍ତି ।