ଗୁପ ଚୁପ ବିକ୍ରେତା ଙ୍କୁ ପ୍ରଶିକ୍ଷଣ ଦେବେ ସ୍ୱାସ୍ଥ୍ୟ ବିଭାଗ।। ଅସ୍ୱାସ୍ଥ୍ୟ କର ପରିବେଶରେ ଗୁପଚୁପ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ।

0 307

ସ୍ଵାସ୍ଥ୍ୟକର ଗୁପ ଚୁପ ପ୍ରସ୍ତୁତ କରିବାକୁ ଏବେ ଗୁପ ଚୁପ ବିକ୍ରେତା ଏବଂ ବୁଲା ବିକାଳୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ତେବେ ମଧ୍ୟ ଗୁପ ଚୁପ ଖାଉଥିଲେ ସାବଧାନ।

କେତେବେଳେବି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡି ପାରନ୍ତି। କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଶଙ୍କରପୁର ଅଞ୍ଚଳରେ ଚଢ଼ାଉ କରାଯାଇ ବହୁ ପରିମାଣର ଖାଇବା ଅନୁପଯୋଗୀ ଗୁପ ଚୁପ କୁ ନଷ୍ଟ କରିଦିଆଯାଇଛି। ଯେଉଁ ପରିବେଶରେ ଏହି ଗୁପ ଚୁପ ପ୍ରସ୍ତୁତ କରାଯାଉଥିଲେ ତାହା ଦେଖିଲେ କେହିବି ଆଉ ଗୁପ ଚୁପ ଖାଇବାକୁ ମନ ବଳାଇବେ ନାହିଁ। କେବଳ କଟକ ନୁହଁ , ସବୁ ସ୍ଥାନରେ ସମାନ ଅବସ୍ଥା। ରାଉରକେଲା ର ବିଭିନ୍ନ ସ୍ଥାନରେ ମଧ୍ୟ ୧୦୦ ରୁ ଉର୍ଦ୍ଧ୍ବ ଗୁପ ଚୁପ ବିକ୍ରେତା ଏହି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ୯୫ ପ୍ରତିଶତ ଗୁପ ଚୁପ ବିକ୍ରେତା ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବାରୁ ବସ୍ତି ଅଞ୍ଚଳରେ ରହନ୍ତି। ସେଠାରେ ସେମାନେ ପ୍ରସ୍ତୁତ କରିଥାନ୍ତି ଗୁପ ଚୁପ ବା ପାନୀ ପୁରୀ। ଘରେ କମ ସ୍ଥାନ ଥିବାରୁ ବାହାରେ ଅସ୍ୱାସ୍ଥ୍ୟ କର ପରିବେଶରେ ଶୁଖାଇ ଥାନ୍ତି ଗୁପ ଚୁପ। ଫଳରେ ଏଥିରେ ମାଛି ବସି ଥାଏ ଏବଂ ଖାଇବା ଲୋକଙ୍କ ଲାଗି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେବେ ଥରେ ଅଧେ ଗୁପ ଚୁପ ନଷ୍ଟ କରି ଦେଲେ ସମସ୍ୟାର ସମାଧାନ ହେବନାହିଁ। ତେଣୁ କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପ ଚୁପ ବିକ୍ରେତାଙ୍କ ଲାଗି ଏକ ଗାଇଡ଼ ଲାଇନ ଦିଆଯିବା ସହ ସ୍ୱାସ୍ଥ୍ୟକର ପରିବେଶରେ ଗୁପ ଚୁପ ପ୍ରସ୍ତୁତ କରିବା ଲାଗି ପ୍ରଶିକ୍ଷଣ ଦିଆଯିବ। ଏହା କହିଛନ୍ତି ସିଏମସି ର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର। କଟକ ମାତ୍ର ଏକ ଉଦାହରଣ , ତେବେ ସମସ୍ତ ସହରରେ ଏପରି ସକାରାତ୍ମକ ପଦକ୍ଷେପ ନିଆଗଲେ ଗୁପ ଚୁପ ବିକ୍ରେତା ନିଜର ପରିବାର ପ୍ରତିପୋଷଣ କରିପାରିବେ ଏବଂ ଏହାସହ ଲୋକମାନେ ସ୍ୱାସ୍ଥ୍ୟକର ଗୁପ ଚୁପ ମଧ୍ୟ ଖାଇପାରିବେ।

Leave A Reply

Your email address will not be published.