ଗୋଟିଏ ଗୋଡ଼ରେ ସ୍କୁଲ ଯାଉଥିବା କୁନି ଝିଅକୁ ମିଳିଲା ସରକାରୀ ସହାୟତା।। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଲା କୁତ୍ରିମ ଗୋଡ଼।
ବିହାରର ଜମୁଇ ଅଞ୍ଚଳରେ ରହୁଥିବା ଗୋଟିିଏ ଛୋଟ ଝିଅର ଭିଡିଓ ଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯେଉଁଥିରେ ସେ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡିଓ ଉପରେ ଅନେକ ଲୋକ ନିଜ ନିଜ ମତାମତ ରଖିଥିଲେ । ଏବେ ସେହି କୁନି ଝିଅକୁ ମିଳିଛି ଦ୍ୱିତୀୟ ଗୋଡ ।

ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ସହାୟତାରେ ସୀମାକୁ ମିଳିଛି ଦ୍ୱିତୀୟ ଗୋଡ । ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତିରେ ଡାକ୍ତରୀ ଟିମ୍ ତାଙ୍କୁ କୃତ୍ରିମ ଗୋଡ ଲଗାଇଛନ୍ତି । ଆଉ କୃତ୍ରିମ ଗୋଡ ଲାଗିବା ପରେ, କୁନି ଝିଅଟି ବେଶ ଖୁସି ଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ସୀମା ନିଜ ପିତା-ମାତାଙ୍କ ସହିତ ଖେରା ପ୍ରଖଣ୍ଡର ଫତେପୁର ଗାଁରେ ରୁହେ । ଦୁଇ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ସେ ତାର ଗୋଟିଏ ଗୋଡ ହରାଇଥିଲା । ହେଲେ ସବୁ ଦୁଃଖ, କଷ୍ଟ ଓ ଯନ୍ତ୍ରଣାକୁ ପଛରେ ପକାଇ ସେ ନିଜର ଶିକ୍ଷା ଜାରି ରଖିଥିଲା । ଆଉ ପ୍ରତିଦିନ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଥିଲା ।
କିଛି ଦିନ ତଳେ ସୀମା ସ୍କୁଲ ଯିବା ବେଳର ଭିଡିଓ ବେଶ ଭାଇରାଲ ହୋଇଥିଲା । ଅନେକ ଲୋକ କୁନି ଝିଅଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହ ଜିଲ୍ଳା ପ୍ରଶାସନ ପକ୍ଷରୁ ଉକ୍ତ ଝିଅକୁ ସାହାଯ୍ୟ କରିବାକୁ ଦାବି କରିଥିଲେ। । ଏବେ ସେହି କୁନି ଝିଅ ପାଖରେ ପହଞ୍ଚିଛି ସରକାରୀ ସହାୟତା । ତାକୁ ମିଳିଛି ଦ୍ୱିତୀୟ ଗୋଡ ।