ରାଉରକେଲା:୨୮/୫/୨୨
ଉଦଘାଟନ ର ୫ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ରାଉରକେଲା ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ। କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ରାଉରକେଲା ରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକାଧିକ ପ୍ରକଳ୍ପ ହାତକୁ ନିଆଯାଇଛି।

ପାନପୋଷରେ ସ୍ଥାପିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ବ୍ୟତୀତ ବିରସା ମୁଣ୍ଡା ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟ ଅନ୍ୟତମ। ବିରସା ମୁଣ୍ଡା ଷ୍ଟାଡିଅମ ର କାମ ଚାଲିଥିବା ବେଳେ ଗତ ଡିସେମ୍ବର ମାସରେ ବିଜୁ ପଟ୍ଟନାୟକ
ଇନଡୋର ଷ୍ଟାଡିଅମ ଉଦଘାଟନ କରାଯାଇଥିଲା । କିନ୍ତୁ ଏଠାରେ ଆବଶ୍ୟକୀୟ ପ୍ରଶିକ୍ଷକ ନିଯୁକ୍ତି ହୋଇପାରିନଥିବାରୁ ସହରର ଖେଳାଳି ମାନେ ସୁବିଧା ପାଇ ପାରୁନାହାନ୍ତି କିମ୍ବା ଅଭ୍ୟାସ କରି ପାରୁନାହାନ୍ତି। କେବଳ ଭିତ୍ତିଭୂମି ବିକାଶ କରି ଅନ୍ୟାନ୍ୟ ଦିଗକୁ ଭୁଲିଯାଉଥିବାବେଳେ ପ୍ରକଳ୍ପର ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ।
ପାନପୋଷରେ ନିର୍ମିତ ଏହି ଅତ୍ୟାଧୁନିକ ଇନ୍ଡୋର ଷ୍ଟାଡିୟମରେ ୩ଟି ବ୍ୟାଡମିଣ୍ଟନ କୋର୍ଟ, ଭଲିବଲ ଓ ଟେବୁଲ ଟେନିସ ପାଇଁ କୋର୍ଟ, ବ୍ୟାୟାମଶାଳା ଆଦି ରହିଛି। ଏହାସହ ୩୫୦ ଜଣ ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଗ୍ୟାଲେରୀ ବ୍ୟବସ୍ଥା ମଧ୍ୟ ରହିଛି। ଏହାକୁ ଉଦ୍ଘାଟନ ହେବାର ୫ ମାସ ବିତିସାରିଲାଣି, କିନ୍ତୁ ପଞ୍ଜିକରଣ କରିଥିବା କ୍ରୀଡ଼ାବିତ୍ ଷ୍ଟାଡିଅମ ଭିତରକୁ ପ୍ରବେଶ କରିପାରୁନାହାନ୍ତି। ଯୁବ କ୍ରୀଡ଼ାବିତ୍ଙ୍କୁ ତାଲିମ ଦେବାକୁ ଦୁଇ ଜଣ ବ୍ୟାଡମିଣ୍ଟନ କୋଚ୍ଙ୍କ ସମେତ ଭଲିବଲ କୋଚ, ଜିମ୍ ଇନ୍ଷ୍ଟ୍ରକ୍ଟର ସମେତ ପରିମଳ ବ୍ୟବସ୍ଥା ତଦାରଖ ପାଇଁ ସେଠାରେ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆବଶ୍ୟକୀୟ ସଂଖ୍ୟକ କୋଚ୍ ଓ କର୍ମଚାରୀ ନିଯୁକ୍ତ କରାଯାଇନି। ଏନେଇ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସଠିକ ସୂଚନା ମିଳିପାରିନାହିଁ। ନିର୍ଦ୍ଦିଷ୍ଟ କେବେ ସୁଦ୍ଧା କୋଚ୍, କର୍ମଚାରୀ ନିଯୁକ୍ତି ହେବେ, ତାହା ମଧ୍ୟ ସ୍ପଷ୍ଟ ହୋଇନି। ପଞ୍ଜିକରଣ କରିଥିବା ଜଣେ କ୍ରୀଡ଼ାବିତ ଟ୍ୱିଟର ମାଧ୍ୟମରେ ଏ ବାବଦରେ ଆର ଏମ୍ ସି କୁ ପଚାରିଥିଲେ। ଉତ୍ତର ରେ
ଆର ଏମ୍ ସି ଖୁବ ଶୀଘ୍ର ଷ୍ଟାଡିଅମ ଖୋଲିବାକୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଥିଲେ।
ଏହି ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା, ଅଭ୍ୟାସ କରିବା, ଜିମ୍ ବ୍ୟବହାର ଆଦି ପାଇଁ ସହରବାସୀଙ୍କକୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ଫି’ ଧାର୍ଯ୍ୟ କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ, ସଦସ୍ୟତା ଫି’ ବାବଦକୁ ଜଣଙ୍କୁ ହଜାରେ ଟଙ୍କା ପୈଠ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ପ୍ରତ୍ୟେକ ମାସରେ ବ୍ୟାଡମିଣ୍ଟନ୍ କୋଚିଂ ପାଇଁ ୫ ଶହ ଟଙ୍କା, ଜିମ୍ ଫି’ ବାବଦକୁ ୮ ଶହ ଟଙ୍କା, ଭଲିବଲ ପାଇଁ ୨ ଶହ ଓ ଟେନିସ ପାଇଁ ୫ ଶହ ଟଙ୍କା ଦେବାକୁ ପଡ଼ିବ। ଏହି ଇନ୍ଡୋର ଷ୍ଟାଡିୟମରେ ପ୍ରଶିକ୍ଷଣ ନେବାକୁ ଇତିମଧ୍ୟରେ ପ୍ରାୟ ଶହେରୁ ଅଧିକ ଯୁବ କ୍ରୀଡ଼ାବିତ୍ ପଞ୍ଜିକରଣ କରିସାରିଲେଣି; କିନ୍ତୁ ଏ ସେମାନେ ଏହି ଷ୍ଟାଡିଅମ ର ସୁବିଧା ପାଇପାରୁନାହାନ୍ତି। ଯଥାଶୀଘ୍ର କୋଚ୍, କର୍ମଚାରୀ ନିଯୁକ୍ତ କରି ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରଶିକ୍ଷଣ ଦେବାକୁ ସାଧାରଣରେ ଦାବି ହେଉଛି।