ବିରମିତ୍ରପୁର ପୌରପାଳିକାର ଅଧୀନରେ ବର୍ଜ୍ୟବସ୍ତୁ ପ୍ରକଳ୍ପ ରେ କାମ କରୁଥିବା ଜଣେ ଠିକା ସଫେଇ କର୍ମଚାରୀ ଟ୍ରାକ୍ଟର ରୁ ପଡି ମୃତ୍ୟୁ ବରଣ କରିଛନ୍ତି । ଉକ୍ତ ସଫେଇ କର୍ମଚାରୀ ଧନେଶ୍ୱର ଗୋଛୟତ ଙ୍କ ମୃତ୍ୟୁ ରେ ସଫେଇ କର୍ମଚାରୀ ମହଲରେ ଉତ୍ତେଜନା ଦେଖାଦେଇଛି। ଧନେଶ୍ୱର ଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ରେ ଟ୍ରାକ୍ଟରରେ ଧନେଶ୍ୱର ଏବଂ ଅନ୍ୟମାନେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଟ୍ରାକ୍ଟର ର ଜର୍ଜର ଅବସ୍ଥା ଯୋଗୁ ଏପ୍ରକାର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଟ୍ରାକ୍ଟରରୁ ତଳେ ପଡିଯାଇଥିବା ଧନେଶ୍ୱର ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆସନ୍ତାକାଲି ପୋଷ୍ଟମର୍ଟମ ପରେ ଶବ ତାଙ୍କ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯିବ ।