ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଯୁବତୀ ଚାଲାଣ ରାକେଟ ସକ୍ରିୟ।। ମାଲଗୋଦାମ ଅଞ୍ଚଳର ଯୁବତୀଙ୍କୁ ରାଜସ୍ଥାନରେ ଜବରଦସ୍ତି ବିବାହ କରାଇଥିବା ଅଭିଯୋଗ।
ସୁନ୍ଦରଗଡ ଜିଲ୍ଲାରେ ଯୁବତୀ ଚାଲାଣ ରାକେଟ ବେଶ ସକ୍ରିୟ ଅଛନ୍ତି। ରାଉରକେଲା ମାଲଗୋଦାମ ଅଞ୍ଚଳର ମଧ୍ୟ ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ରାଜସ୍ଥାନ ରେ ଜୋର ଜବରଦସ୍ତି ବିବାହ କରିଦେଇଥିବାର ଅଭିଯୋଗ ଉଦିତନଗର ଥାନାରେ ହୋଇଛି। ସୂଚନା ଅନୁଯାୟୀ ମାଲଗୋଦାମ ଅଞ୍ଚଳରେ ତିନି ଭଉଣୀ ଏକାଠି ରହୁଥିଲେ। ବଡ଼ ଭଉଣୀ ମାନସିକ ରୋଗରେ ପୀଡିତ ଥିଲେ । ପିତା ମାତା ନଥିବାରୁ ତିନିଜଣ ଅସୁବିଧାରେ ଚଳୁଥିଲେ। ବଡ ଭଉଣୀର ଚିକିତ୍ସା ଲାଗି ଅର୍ଥ ବ୍ୟବସ୍ଥା କଷ୍ଟକର ହେଉଥିଲା। ଏହାର ସୁଯୋଗ ନେଇ ବସ୍ତି ର ଦୁଇଜଣ ଯୁବକ ବଡ ଭଉଣୀକୁ ଚିକିତ୍ସା କରାଇଦେବା କହି ରାଞ୍ଚି ନେଇଥିଲେ। ସାଙ୍ଗରେ ଆଉ ଦୁଇ ଭଉଣୀ ମଧ୍ୟ ଯାଇଥିଲେ। ତେବେ ଚିକିତ୍ସା ଲାଗି ଅଧିକ ଅର୍ଥ ଦରକାର ହେଉଥିବାରୁ ସାନ ଭଉଣୀ କୁ ରାଜସ୍ଥାନ ରେ ଜଣେ ଯୁବକଙ୍କୁ ବିବାହ ଦେକେ ଅର୍ଥ ଯୋଗାଡ଼ ହୋଇଯିବ ବୋଲି ମଝିଆ ଭଉଣୀକୁ କହିଥିଲେ। ସେହି ଅନୁସାରେ ସାନ ଭଉଣୀ କୁ ରାଜସ୍ଥାନରେ ଜଣେ ଯୁବକଙ୍କୁ ବିବାହ କରାଇ ଦେଇଥିଲେ। ଏବେ ଉକ୍ତ ଯୁବତୀଙ୍କୁ ସେଠାରେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଖବର ଆସିବା ପରେ ଥାନାରେ ଏତେଲା ଦିଆଯାଇଛି। ମାଲଗୋଦାମ ଅଞ୍ଚଳର କେତେକ ଯୁବକଙ୍କ ପ୍ରୟାସରେ ପିଡିତା ଯୁବତୀଙ୍କ ଭଉଣୀ ଉଦିତନଗର ଥାନାରେ ଏତେଲା ଦେଇଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ କରି ଯୁବତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି।

ପ୍ରଲୋଭନ ଦେଖାଇ ସୁନ୍ଦରଗଡ ଜିଲ୍ଲାର ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି କରା ଯାଉଥିବା ଅଭିଯୋଗ ହୋଇ ଚାଲିଛି। ବିଶେଷ କରି ରାଜସ୍ଥାନ , ହରିୟାଣା , ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଜିଲ୍ଲା ରୁ ଯୁବତୀ ମାନଙ୍କୁ ନେଇ ଜୋର ଜବରଦସ୍ତ ବିବାହ କରାଯାଉଥିବା ଜଣାପଡିଛି। କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରୁ ଏକ ଯୁବତୀଙ୍କୁ ଚାକିରୀ କରାଇଦେବାକୁ ପ୍ରଲୋଭନ ଦେଖାଇ ମଧ୍ୟପ୍ରଦେଶ ରେ କିଛି ଦଲାଲ ଜବରଦସ୍ତି ବିବାହ କରାଇ ଦେଇଥିଲେ । ଯୁବତୀଙ୍କ ପିତାଙ୍କ ନିକଟରୁ ଅଭିଯୋଗ ପାଇବା ପରେ ପୋଲିସ ଏମପି ର ରତଳାମ ଜିଲ୍ଲା ରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ମହିଳାଙ୍କ ସମେତ ୩ ଜଣ ଦଲାଲଙ୍କୁ ଗିରଫ କରିଥିଲେ।