ରାଉରକେଲା: ୮/୫/୨୨: ଭାରତୀୟ ରେଡକ୍ରସ ସୋସାଇଟି ର ରାଉରକେଲା ଶାଖା ପକ୍ଷରୁ ଆଜି ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଯୁବପିଢି କୁ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ମାନବ ସେବା ହି ଶ୍ରେଷ୍ଠ ଧର୍ମ। ଏହାକୁ ଅନୁସରଣ କରିବା ଉଚିତ୍। ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ ମୁନିସିପାଲ କଲେଜର ପ୍ରଧ୍ୟାପକ ଡ.ସନାତନ ପ୍ରଧାନ କହିଥିଲେ ଯେ ତ୍ଯାଗ ଓ ସେବା ହେଉଛି ସର୍ବ ଶ୍ରେଷ୍ଠ ଆଦର୍ଶ। ଅଭାବଗ୍ରସ୍ତ ଲୋକଙ୍କୁ ସେବା କରିବା ଦ୍ବାରା ହିଁ ଏକ ସୁସ୍ଥ ସମାଜର ଗଠନ ହୋଇ ପାରିବ। ସେହିପରି ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ରେଡକ୍ରସ ଦିବସର ମହତ୍ବ ଉପରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମରେ
ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ୱାଇଁ, ଡାକ୍ତର ସମୀର ପାତ୍ର , ଉତ୍କଳ ମଣି ହୋମିଓପ୍ୟାଥି ମେଡିକାଲ କଲେଜ ର ପ୍ରିନ୍ସିପାଲ ଡା ଅଭୟ କୁମାର ନାୟକ ଭାରତ ସ୍କାଉଟ ଓ ଗାଇଡ୍ ର ସେକ୍ରେଟାରି ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ
ଉଦିତ ନଗର ସ୍ଥିତ ଫିଟନେସ ପାର୍କ ନିକଟରୁ ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା। ଉକ୍ତ ରାଲି ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଚିତ୍ରାଙ୍କନ, ରଚନା ଏବଂ ବକ୍ତୃତା ପ୍ରତିଯୋଗୀତାରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ରାଉରକେଲା ଆରଜିଏଚ ର ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଧନ୍ଯବାଦ ଅର୍ପଣ କରିଥିଲେ।