ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଉତ୍ତାପ ୪୩ ଡିଗ୍ରି ପାର।। ଆଉ ୪/୫ ଦିନ ଏପରି ଅବସ୍ଥା ଲାଗିରହିବା ସମ୍ଭାବନା।
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଆଜି ଉତ୍ତାପ ୪୩ ଡିଗ୍ରୀ ପାର କରିଯାଇଛି। ରାଉରକେଲା , ସୁନ୍ଦରଗଡ଼ , ବଣେଇ , ବିରମିତ୍ରପୁର , ରାଜଗାଙ୍ଗପୁର ସମେତ ସମସ୍ତ ଆଭ୍ୟନ୍ତରୀଣ ଏରିଆ ରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଦିନ ୧୦ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି।

ଅତି ଆବଶ୍ୟକ ନଥିଲେ ଲୋକମାନେ ବାହାରକୁ ଯାଉନାହାଁନ୍ତି। ତେବେ ସବୁଠାରୁ ବେଶୀ ହଇରାଣ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ। ପ୍ରଖର ଖରା ତଥା ଗ୍ରୀଷ୍ମ ପ୍ରବାହ ରେ ସେମାନଙ୍କୁ କାମ କରିବାକୁ ପଡୁଛି। ରାଜ୍ୟ ସରକାର ସ୍କୁଲ , କଲେଜ ଆଦି
ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିବାରୁ ଛାତ୍ରଛାତ୍ରୀ ମହଲରେ ଅସ୍ବସ୍ତି ପରିଲକ୍ଷିତ ହେଉଛି। ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ରେ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ , କଲେଜ ଆସିବାକୁ ପଡୁଛି। ଯେଉଁମାନେ ବାହାରକୁ କୌଣସି କାମରେ ବାହାରୁଛନ୍ତି ପ୍ରତିଷେଧକ ମୂଳକ ସତର୍କତା ଅବଲମ୍ବନ କରିବା ଦେଖାଯାଉଛି। ଦିନ ୧୨ ଟାରୁ ଅପରାହ୍ନ ୪ଟା ମଧ୍ୟରେ ରାସ୍ତାଘାଟରେ ଲୋକମାନଙ୍କ ଯିବାଆସିବା ବହୁତ କମ ଦେଖାଯାଉଛି। ଏପରି ଗ୍ରୀଷ୍ମପ୍ରବାହ ଆଉ ୪ ରୁ ୫ ଦିନ ଲାଗିରହିବା ସମ୍ଭାବନା ରହିଛି। ତେବେ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ୯ ଟି ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଲାଗି ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।