ମାତ୍ର ଦୁଇ ଘଣ୍ଟାର ଲଗାଣ ବର୍ଷାରେ ଜଳମଗ୍ନ କୋଇଡା ଖଣି ଅଞ୍ଚଳ। ଅଣ୍ଟାଏ ପାଣିରେ ବୁଡ଼ିଲା ଘର।ବେସାହାରା ହେଲେ ଅନେକ ପରିବାର। ରାତି ସାରା ବର୍ଷାରେ ରାଉରକେଲାର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ।
ରାଉରକେଲା : ୨୫/୭
(ସତ୍ୟାନ୍ୟୁଜ) ଗତକାଲି ରାତିରୁ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଛି। ରାଉରକେଲାର
ଟିସିଆଇ ଓଭରପାସ୍ ନିକଟରେ ପାଣି ଭରି ଯାଇଥିବାରୁ ଯାତାୟାତ ରେ ଅସୁବିଧା ସୃଷ୍ଟି ହୋଇଛି। ଜେସିବି ଲଗାଇ ଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ପାନପୋଷ ଜଗନ୍ନାଥ କଲୋନୀ ରେ ମଧ୍ୟ ଜଳବନ୍ଦୀ ଅବସ୍ଥା ଦେଖା ଦେଇଛି। ଚ୍ଛେଣ୍ଡ ଅଞ୍ଚଳରୁ ଆସୁଥିବା ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାର କୋଇଡା ଖଣି ଅଞ୍ଚଳରେ ମାତ୍ର ଦୁଇ ଘଣ୍ଟାର ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ବର୍ଷା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
କୋଇଡା ବ୍ଲକ୍ ମୁଖ୍ୟାଳୟ ନିକଟ ନ୍ୟୁ ଗାର୍ଡେନ୍ କଲୋନୀ ଏବଂ କେରକେଟା ସାହି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଘର ଭିତରକୁ ଅଣ୍ଟାଏ ପାଣି ପଶିଯିବାରୁ ଆସବାବପତ୍ର, ଘରୋଇ ସାମଗ୍ରୀ ଭାସିଯାଇଛି। ଅନେକ ପରିବାର ଏବେ ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି।
ଅନ୍ୟପଟେ, ବନ୍ୟା ପାଣିରେ ବହୁ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ବୁଡ଼ିଯାଇ ନଷ୍ଟ ହୋଇପଡ଼ିଛି। ସ୍ଥାନୀୟ ଲୋକମାନେ ଜଳ ନିଷ୍କାସନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ରିଲିଫ୍ ଓ ସହାୟତା ଯୋଗାଇବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।