ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଉରକେଲା ପ୍ରତି ଅବହେଳା ଯୋଗୁଁ ବହୁ ପ୍ରକଳ୍ପ ବନ୍ଦ ହୋଇ ପଡିଛି। ଅନ୍ୟ କେତେକ ପ୍ରକଳ୍ପ ଅତି ମନ୍ଥର ଗତିରେ ଚାଲିଛି

। ରାଉରକେଲା ରେ ୨୦୨୩ ରେ ହକି ବିଶ୍ୱ କପ ହେବାକୁ ଥିବାବେଳେ ଏଠାରେ ଉତ୍କୃଷ୍ଟ ମାନର ବିମାନ ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଆରପୋର୍ଟ ଅଠରୀଟି ଅଫ ଇଣ୍ଡିଆ ର କ୍ରମାଗତ ଚଞ୍ଚକତା ଯୋଗୁଁ ଏହା ସମ୍ଭବପର ହୋଇପାରୁନାହିଁ। ସେହିପରି ସୁପର ସ୍ପେସିଆଲିଟି ହସପିଟାଲ ଉଦଘାଟନ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସହରର ପ୍ରମୁଖ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ଲାଗି ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଏକ ସଚେତନତା ସମାବେଶ କରାଯାଇଥିଲା । ବିଶ୍ରା ଛକରେ ଆୟୋଜିତ ଏହି ସମାବେଶରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଏହି ସମାବେଶରେ ୮ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ପୂର୍ଣ୍ଣ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ବିମାନ ବନ୍ଦର , ରାଉରକେଲା ରେ ରେଳ ଡିଭିଜନ ସ୍ଥାପନ , ପୁରୁଣାପାଣି ସିମେଣ୍ଟ କାରଖାନା ନିର୍ମାଣ , ସୁପର ସ୍ପେସିଆଲିଟି ମେଡ଼ିକାଲ କଲେଜ ଏବଂ ହସପିଟାଲ ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ , ବିପିୟୁଟି କୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରେ ପରିଣତ, ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ , ବିସ୍ଥାପିତ ସମସ୍ୟର ସମାଧାନ ଆଦି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା। ରାଉରକେଲା ବିକାଶ ମଞ୍ଚ ଆବାହକ ସୁମନ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆନନ୍ଦ ଚନ୍ଦ୍ର ମହାନ୍ତି ସଂଯୋଜନା କରିଥିଲେ। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି ସମାବେଶରେ ଯୋଗ ଦେଇଥିଲେ ।