ବିବାହ ଖୁସି ଉପରେ କାଳର କରାଳ ଛାୟା: ପୋଖରୀରେ ପଶିଗଲା ବରଯାତ୍ରୀ କାର, ୫ ମୃତ, ୨ ଅଳ୍ପକେ ବର୍ତ୍ତିଲେ।
ଢେଙ୍କାନାଳ:୨୩ ଜୁଲାଇ:
(ସତ୍ୟାନ୍ୟୁଜ)
ବିବାହର ଖୁସି କ୍ଷଣକ ମଧ୍ୟରେ ଶୋକାକୁଳ ପରିବେଶରେ ପରିଣତ ହୋଇଗଲା। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛାଟିଆ ଗ୍ରାମ ନିକଟରେ ଏକ ବରଯାତ୍ରୀ କାର ପୋଖରୀକୁ ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଅଳ୍ପକେ ବଞ୍ଚି ଯାଇଛନ୍ତି।
ସୂଚନା ଅନୁଯାୟୀ, ବାଙ୍ଗୁରୁସିଂହ ଗ୍ରାମରୁ ୭ ଜଣ ଏକ କାରରେ ଇନ୍ଦୁପୁର ଗ୍ରାମକୁ ବିବାହ ଉତ୍ସବରେ ବରଯାତ୍ରୀ ଭାବେ ଯାଇଥିଲେ। ବିବାହ ଭୋଜି ସାରି ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଛାଟିଆ ଗ୍ରାମ ନିକଟରେ ଥିବା ଏକ ବୁଲାଣି ରାସ୍ତାରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ କାର ଟି ସିଧାସଳଖ ପାଣି ଭର୍ତ୍ତି ପୋଖରୀକୁ ଖସିପଡ଼ି ବୁଡ଼ି ଯାଇଥିଲା।
କାରରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।
ଖବର ପାଇ ସଦର ଥାନା ପୋଲିସ, ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକମାନେ ମିଳି ଉଦ୍ଧାର କାର୍ଯ୍ୟ କରିଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମୃତକମାନେ ହେଲେ—
ଅଭିଜିତ ସାହୁ (୨୫), ଚାଇଁପୁର
ରାକେଶ ସାହୁ (୨୮), ବାଙ୍ଗୁରୁସିଂହ
ଚନ୍ଦ୍ରକାନ୍ତ ସ୍ୱାଇଁ (୨୬), ଢେଙ୍କାନାଳ
ଅବିନାଶ ସାହୁ (୨୮), ଢେଙ୍କାନାଳ
ଶ୍ରୀରାମ ସାହୁ (୨୮), ବାଙ୍ଗୁରୁସିଂହ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତକଙ୍କ ପରିବାର ସଦସ୍ୟଙ୍କ କାନ୍ଦବୋବାଳି ପରିବେଶକୁ ଶୋକାକୁଳ କରିଦେଇଥିଲା। ଏହି ଅକାଳ ମୃତ୍ୟୁ ଘଟଣାରେ ବାଙ୍ଗୁରୁସିଂହ ସମେତ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
SatyaNewsAlert ଢେଙ୍କାନାଳ ରୁ ସନ୍ତୋଷ କୁମାର ମହାପାତ୍ର ଙ୍କ ରିପୋର୍ଟ।