ରାଉରକେଲା ରେ ଚାଲିଲା ଡ଼ଙ୍ଗା । ଗତକାଲି ରାତିରୁ ପାନପୋଷ ନିକଟ ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ର ବନ୍ୟା ଜଳ ପ୍ରବେଶ କରିବାରୁ ସେଠାରେ ଥିବା 30 ଟି ପରିବାର ବନ୍ୟାଜଳ ଘେର ରେ ରହିଛନ୍ତି । କିଛି ଲୋକଙ୍କୁ ଜଳ ଘେର ମଧ୍ୟରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନ କୁ ନିଆଯାଇଛି । ମୋଟର ବୋଟ ଆସି ପାରି ନଥିବାରୁ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।
ପ୍ରତିବର୍ଷ ଅଧିକ ବର୍ଷା ହେଲେ ବାଲୁ ଘାଟ ସମେତ ଅନ୍ୟ କେତେକ ଅଞ୍ଚଳ ବ୍ରାହ୍ମଣୀ ନଦୀ ପାଣି ଘେର ମଧ୍ୟରେ ରହିଯାଉଥାନ୍ତି । ଏଠାରେ ଏକ ରିଙ୍ଗ ବନ୍ଧ କରିବାର ଯୋଜନା ହୋଇଥିଲେ ମଧ୍ୟ ତା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ଏବେ ବ୍ରାହ୍ମଣୀ ନଦୀ ଜଳସ୍ତର ଆହୁରି ବଢ଼ୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଭାବିତ ଲୋକମାନଙ୍କୁ ମହନଗର ନିଗମ ପକ୍ଷରୁ ସୁଖା ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ରାଜନୈତିକ ଦଳ ଏବଂ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରାଯାଉଛି । ବ୍ରାହ୍ମଣୀ ନଦୀ କୂଳରେ ଏକ ରିଙ୍ଗବନ୍ଧ କାମ ଶୀଘ୍ର ଆରମ୍ଭ କରିବାକୁ ବିଜେପି ନେତା ନିହାର ରାୟ ଦାବି କରିଛନ୍ତି ।