ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ସୁନ୍ଦରଗଡ଼ଠାରେ ଅନୁଷ୍ଠିତ କୋଭିଡ୍ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତା’ଛଡ଼ା କୋଭିଡ୍ ଉପଯୋଗୀ ଆଚରଣ ଠିକ୍ ଭାବେ ପାଳନ କରିବାକୁ ସମସ୍ତ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
କୋଭିଡ୍ ସ୍ଥିତିର ସମୀକ୍ଷା କରି ଜିଲ୍ଲାପାଳ କହିଛନ୍ତି ଯେ, ‘‘ଜନସାଧାରଣଙ୍କ ସହଯୋଗ ଏବଂ ପ୍ରଶାସନର ପୂର୍ବ ପ୍ରସ୍ତୁତି ପାଇଁ ଆମେ କୋଭିଡ୍ର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛେ। ତେଣୁ ଏବେ ମଧ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କୋଭିଡ୍ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଉରକେଲା ଏବଂ ସୁନ୍ଦରଗଡ଼ରେ କୋଭିଡ୍ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରହିଛି। ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ କୋଭିଡ୍ ପରୀକ୍ଷା ପାଇଁ ଆବଶ୍ୟକ ଟେଷ୍ଟିଂ କିଟ୍ ମଧ୍ୟ ରହିଛି। ତେବେ କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ।’’
ସୁନ୍ଦରଗଡ଼ ଜିଲ୍ଲାକୁ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଧ୍ୟାନ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ରାଉରକେଲା ରେଳ ଷ୍ଟେସନ ଏବଂ ଜିଲ୍ଲାର ବିଭିନ୍ନ ବସ୍ ଷ୍ଟାଣ୍ଡ ଉପରେ ନଜର ରଖିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ଏହିସବୁ ସ୍ଥାନରେ ଯାତ୍ରୀମାନଙ୍କର ଥର୍ମାଲ ସ୍କାନିଂ କରାଯିବା ସହିତ ଯାହା ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଜିଲ୍ଲାରେ ଥିବା ବିଭିନ୍ନ ସାପ୍ତାହିକ ହାଟ ଏବଂ ଦୈନିକ ହାଟରେ ଯେପରି ଭିଡ଼ ନହୁଏ ସେଥିପ୍ରତି ନଜର ରଖାଯିବ। ନିୟମିତ ବ୍ୟବଧାନରେ ଏହିସବୁ ସ୍ଥାନକୁ ବିଶୋଧନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡ୍ ଦ୍ୱିତୀୟ ଲହର ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟିର ବିଶେଷ ଭୂମିକା ରହିଥିଲା। ନିୟମିତ ବ୍ୟବଧାନରେ ଏହି ଟିମ୍ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲା। ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଲାଗି ପରାମର୍ଶ ଦେଉଥିଲା ଏହି ଟିମ୍। ତେଣୁ ଏହି ଟିମକୁ ପୁଣିଥରେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୂର୍ବରୁ ଥିବା କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ କହିଛନ୍ତି।
ଜନସାଧାରଣ ଯେପରି କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବେ ତା’ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଭଲଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ସହିତ ସାମାଜିକ ଦୂରତା ରକ୍ଷା କରିବା ଲାଗି ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାର ଡାକ୍ତର କାହ୍ନୁ ଚରଣ ନାୟକଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

