ରାଉରକେଲା : ଜେପି ହସ୍ପିଟାଲ୍ ରେ ବିଶ୍ଵ କ୍ଲେଫ୍ଟ ସଚେତନତା ଦିବସ ପାଳିତ।। ସଠିକ୍ ସମୟରେ ସର୍ଜରୀ ଉପରେ ଗୁରୁତ୍ୱ।

0 34

ଜେପି ହସ୍ପିଟାଲରେ ବିଶ୍ୱ କ୍ଲେଫ୍ଟ ସଚେତନତା ଦିବସ ପାଳିତ
ରାଉରକେଲା : ୨୨/୭ ରାଉରକେଲାର ଜେପି ହସ୍ପିଟାଲରେ ବିଶ୍ୱ କ୍ଲେଫ୍ଟ (ଖଣ୍ଡିଆ ଓଠ ଓ ତାଳୁ) ସଚେତନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଖଣ୍ଡିଆ ଓଠ ଓ ତାଳୁ ସମସ୍ୟାର ସମୟୋପଯୋଗୀ ଚିକିତ୍ସା ଏବଂ ସର୍ଜରୀ ଦ୍ୱାରା କିପରି ଶିଶୁଙ୍କ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଆସିପାରେ, ସେନେଇ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମରେ ଜେପି ହସ୍ପିଟାଲର ଡିନ୍ ତଥା ସିଇଓ ଡାକ୍ତର ଦେବେନ୍ଦ୍ର ମିଶ୍ର, ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ସୁଚିତ୍ରା ମିଶ୍ର, କ୍ରାନିଓଫେସିଆଲ୍ ସର୍ଜନ ଡାକ୍ତର ପ୍ରିୟଙ୍କା ଭୋଇ, ଆସିଷ୍ଟାଣ୍ଟ ସିଓଓ ତନ୍ଦ୍ରା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ହସ୍ପିଟାଲର ବରିଷ୍ଠ ଅଧିକାରୀ ଓ ନର୍ସିଂ କର୍ମଚାରୀ ଉପସ୍ଥିତ ଥିଲେ। କ୍ଲେଫ୍ଟ ସର୍ଜରୀର ସଫଳ ଲାଭାର୍ଥୀ ଶିଶୁ ଓ ସେମାନଙ୍କ ପରିବାର ନିଜ ଅନୁଭୂତି ବାଣ୍ଟିବା ସହ ଡାକ୍ତରୀ ଦଳ ପ୍ରତି କୃତଜ୍ଞତା ଜଣାଇଥିଲେ।
ଡାକ୍ତର ପ୍ରିୟଙ୍କା ଭୋଇ କହିଥିଲେ, ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ସଠିକ୍ ସମୟରେ ସର୍ଜରୀ ଏବଂ ସର୍ଜରୀ ପରବର୍ତ୍ତୀ ସ୍ପିଚ୍ ଥେରାପି ଶିଶୁଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ। କ୍ଲେଫ୍ଟ ସର୍ଜରୀ କେବଳ ଚେହେରାର ପରିବର୍ତ୍ତନ ନୁହେଁ, ବରଂ ଶିଶୁଙ୍କ ଖାଇବା, ଶ୍ୱାସ ନେବା ଏବଂ ସ୍ପଷ୍ଟ ଭାବେ କଥା କହିବା କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ।
ଡାକ୍ତର ଦେବେନ୍ଦ୍ର ମିଶ୍ର ଓ ଡାକ୍ତର ସୁଚିତ୍ରା ମିଶ୍ର ଏହି ଅଞ୍ଚଳରେ ବିଶେଷଜ୍ଞ ସର୍ଜିକାଲ୍ ସେବା, ସଚେତନତା ଏବଂ ମାନବିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଜେପି ହସ୍ପିଟାଲର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
କାର୍ଯ୍ୟକ୍ରମ ଶେଷରେ ମେଡିକାଲ୍ ଓ ନର୍ସିଂ ଟିମ୍‌କୁ ସମ୍ବର୍ଦ୍ଧିତ କରାଯିବା ସହ ପରିବାରବର୍ଗଙ୍କ ସହ ମତବିନିମୟ ଏବଂ କେକ୍ କାଟି ବିଶ୍ୱ କ୍ଲେଫ୍ଟ ସଚେତନତା ଦିବସ ପାଳନ କରାଯାଇଥିଲା।

Leave A Reply

Your email address will not be published.