ସୁନ୍ଦରଗଡ ଜିଲ୍ଲାର ୭୫ତମ ପ୍ରତିଷ୍ଠା ଦିବସ ପାଳିତ।

0 324

କୋଭିଡ୍ ସତର୍କତା ଭିତରେ ସୁନ୍ଦରଗଡ଼ ଜିଲ୍ଲାର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଶନିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବିକାଶ ଭବନଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର ସକାଳେ ପ୍ରଥମେ ସୁନ୍ଦରଗଡ଼ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ସୁନ୍ଦରଗଡ଼ ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ସୁନ୍ଦରଗଡ଼ ବିକାଶ ଭବନଠାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ସୁନ୍ଦରଗଡ଼ର ଇତିହାସ ଏବଂ ଜିଲ୍ଲା ଗଠନ ଉପରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୧୯୪୮ ମସିହା ଜାନୁୟାରୀ ୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗଠନ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ଅନେକ ବିକାଶ ହୋଇଛି। ସୁନ୍ଦରଗଡ଼ର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରି ଜିଲ୍ଲାର ବିକାଶକୁ ଆହୁରି ଆଗକୁ ନେବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବାରୁ ବିଧାୟିକା କୁସୁମ ଟେଟେ ଜିଲ୍ଲାପାଳଙ୍କ ସହିତ ପ୍ରଶାସନିକ ଅଧିକାରୀ ଏବଂ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାଏକ ଉପସ୍ଥିତ ରହି ସୁନ୍ଦରଗଡ଼ ଜିଲ୍ଲା ଗଠନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆୟୋଜିତ ହୋଇଥିବା ଆଲୋଚନାଚକ୍ରରେ ବିଧାୟିକାଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନା, ଅବସରପ୍ରାପ୍ତ ଶିକ୍ଷାବିତ୍ ସରୋଜ କୁମାର ପଟେଲ ଉପସ୍ଥିତ ରହି ସୁନ୍ଦରଗଡ଼ର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଉପରେ ଆଲୋଚନା କରିଥିଲେ। ଏଥିରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେରେକେଟା ଉପସ୍ଥିତ ଥିଲେ। ଡାକ୍ତର ଅନନ୍ତ ଆଚାର୍ଯ୍ୟ ଆଲୋଚନାଚକ୍ର ସଂଚାଳନ କରିଥିଲେ।

Leave A Reply

Your email address will not be published.