ରାଉରକେଲା ରେ “ଜଳସାଥୀ” କାର୍ଯ୍ୟକ୍ରମ ର ଶୁଭାରମ୍ଭ।। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଜଳ ପରିଚାଳନା ଦାୟିତ୍ବ।

0 315

ରାଉରକେଲା ସହରରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ (ଏସଏଚଜି) ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳରେ ଚାଲିଥିବା ‘ଜଳସାଥୀ’ କାର୍ଯ୍ୟକ୍ରମ ରାଉରକେଲାରେ ଆରମ୍ଭ କରାଯାଇଛି। ଶୁକ୍ରବାର ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନ ଦିବ୍ୟଜ୍ୟୋତି ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି।

ଏହି ‘ଜଳସାଥୀ’ କାର୍ଯ୍ୟକ୍ରମରେ ରାଉରକେଲାର ୨୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଲେଖାଏଁ ସଦସ୍ୟାଙ୍କୁ ସାମିଲ କରାଯାଇଛି। ଏଣିକି ସେମାନେ ବିଭିନ୍ନ ୱାର୍ଡକୁ ଯାଇ ଉପଭୋକ୍ତାଙ୍କ ନିକଟରେ ପାଣି ବିଲ୍‌ ପହଞ୍ଚାଇବା ସହ ଡିଜିଟାଲ ପିଓଏସ୍‌ ମେସିନ ସାହାଯ୍ୟରେ ଦେୟ ସଂଗ୍ରହ କରିବେ।

ଏହାସହ ପ୍ରତ୍ୟେକଙ୍କ ଘରେ ଘରେ କିପରି ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚିବ ସେନେଇ ଜଳସାଥୀମାନେ ବ୍ୟବସ୍ଥା କରିବେ। କ୍ୱାଲିଟି ଟେଷ୍ଟିଂ କିଟ୍‌ ବ୍ୟବହାର କରି ନିୟମିତ ଜଳର ମାନ ପରୀକ୍ଷା କରିବା ସହ ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରିବା ଲାଗି ପଦକ୍ଷେପ ନେବେ ଜଳସାଥୀ। ସବୁଠୁ ବଡ଼ କଥା ହେଉଛି ଉପଭୋକ୍ତା ଏବଂ ଜଳ ଯୋଗାଣକାରୀ କର୍ତ୍ତୃପକ୍ଷଙ୍କ ଭିତରେ ‘ଜଳସାଥୀ’ ଏକ ସେତୁ ଭଳି କାର୍ଯ୍ୟ କରିବେ।

ରାଜ୍ୟର ୧୧୪ଟି ସହରାଞ୍ଚଳରେ ଲୋକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ପାନୀୟ ଜଳ ପରିଚାଳନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମିଲ କରି ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରାଯାଉଛି।

ରାଉରକେଲାର ୨୯ ଜଣ ଜଳସାଥୀଙ୍କୁ ଆଜି ସ୍ୱତନ୍ତ୍ର ୟୁନିଫର୍ମ ଦିଆଯିବା ସହିତ ଜଳର ମାନ ପରୀକ୍ଷା ପାଇଁ କିଟ୍‌ ଆଦି ପ୍ରଦାନ କରାଯାଇଛି। ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ୪୦ଟି ୱାର୍ଡରେ ସେମାନେ ଜନସାଧାରଣଙ୍କୁ ଜଳ ସଂରକ୍ଷଣ ଏବଂ ବିଶୁଦ୍ଧ ପାନୀୟ ଜଳର ଉପକାରିତା ଉପରେ ସଚେତନ କରିବେ।

ଆଜିର କାର୍ଯ୍ୟକ୍ରମରେ ଡେପୁଟି କମିଶନର ସୀତାଦେବୀ ମାଝି, ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଦିଲ ମହମ୍ମଦ, ଉପଖଣ୍ଡ ଅଧିକାରୀ ସୁବାସ ଚନ୍ଦ୍ର ରାଉତ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.