ପଶ୍ଚିମ ଓଡିଶାର ଅଗ୍ରଣୀ କଳା ଅନୁଷ୍ଠାନ ସେକ୍ଟର ୧ ସ୍ଥିତ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ” ଦ୍ଵାରା ପ୍ରୟୋଜିତ ଏକ ଚତୁର୍ଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଶୀ ସଙ୍ଗୀତ କର୍ମଶାଳା ଗତ ୨୬ ତାରିଖ ରେ ଆରମ୍ଭ ହୋଇ, ଗତ ୩୦ ତାରିଖ ମଧ୍ୟାହ୍ନରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି।ପ୍ରକାଶଯୋଗ୍ୟ ଯେ ଏକାଡେମୀର ଚତୁର୍ଦଶ ସାମ୍ବତ୍ସରିକ ଉତ୍ସବ, ‘ହେମନ୍ତ ମହୋତ୍ସବ ‘ ଉପଲକ୍ଷେ ଏହି କର୍ମଶାଳା ଆୟୋଜିତ ହୋଇ ଯାଇଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପ୍ରାଧ୍ୟାପକ ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ସଙ୍ଗୀତ ଗୁରୁ ପ୍ରଫେସର ନିମାକାନ୍ତ ରାଉତରାୟଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ସେକ୍ଟର ୧ ସ୍ଥିତ ଏକାଡେମୀ ପରିସରରେ ଆୟୋଜିତ ହୋଇଯାଇଛି ।
ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଆଗତ ସଙ୍ଗୀତ ସାଧକ ମାନଙ୍କୁ ଏଠାରେ ଛାନ୍ଦ, ଚମ୍ପୂ, ରାଗ ସଙ୍ଗୀତ ଆଦି ପ୍ରଶିକ୍ଷଣ ଦିଆଯାଇ ଓଡ଼ିଶୀ ସଙ୍ଗୀତର ତତ୍ ସଂଲଗ୍ନ ବିଭିନ୍ନ ଉପାଦେୟ ତଥ୍ୟାବଳୀ ଉପରେ ପ୍ରଶିକ୍ଷକ ଆଲୋକପାତ କରିଥିଲେ। ଗତ ୩୦ ,ତାରିଖ ସକାଳେ ଆୟୋଜିତ ଉଦଯାପନୀ ପର୍ବରେ ପଶ୍ଚିମ ଓଡିଶାର ପ୍ରଖ୍ୟାତ ସଙ୍ଗୀତ ଗୁରୁ ମାନେ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ। ଏପରି ସଙ୍ଗୀତ କର୍ମଶାଳା ତ୍ରୈମାସିକ ଭାବେ ଅନୁଷ୍ଠିତ ହେବ ଏବଂ ସଙ୍ଗୀତ ଗୁରୁ ବର୍ଗ ଙ୍କ ସମେତ ଓଡ଼ିଆ ସାହିତ୍ୟର ଅଧ୍ୟାପକ ମାନଙ୍କୁ ଏହି କର୍ମଶାଳାରେ ଦିଗ୍ଦର୍ଶନ ଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ଉଦଯାପନୀ ଉତ୍ସବର ଆରମ୍ଭରେ ସ୍ଵାଗତ ଭାଷଣରେ ପ୍ରଖ୍ୟାତ ଓଡ଼ିଆ ଆଧ୍ୟାତ୍ମ ଅନୁବାଦ ସାହିତ୍ୟିକ ତଥା ଏକାଡେମୀର ଉପାଧ୍ୟକ୍ଷ ଶ୍ରୀ ରଶ୍ମି ରଞ୍ଜନ ଦାସ ପ୍ରକାଶ କରିଥିଲେ। କର୍ମଶାଳାରେ ଅଂଶଗ୍ରହଣ କରିଥିବା କଳାକାରମାନେ ଉଦଯାପନୀ ପର୍ବରେ ସଙ୍ଗୀତ ଗାନ କରି ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏକାଡେମୀର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ପ୍ରଫୁଲ୍ଲ ମଙ୍ଗଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

