ରାଉରକେଲା ସହରରେ ଜିରୋ ନାଇଟ ସେଲିବ୍ରେସନ ଏବଂ ନୂଆବର୍ଷ ପାଳନ ଉପରେ କଟକଣା।। କୋଭିଡ ନିୟମ ପାଳନ କରିବାକୁ ପ୍ରଶାସନର ନିବେଦନ।

0 379

କୋଭିଡ୍ ମହାମାରୀର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ଏବଂ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି। ତେଣୁ ଏହି ନିୟମ ରାଉରକେଲା ସହରରେ ବଳବତ୍ତର ରହିବ ବୋଲି ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ତା’ଛଡ଼ା ଜାନୁଆରୀ ମାସ ଲାଗି ରାଜ୍ୟ ସରକାର ଯେଉଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ତାହା ମଧ୍ୟ ରାଉରକେଲାରେ ଠିକ୍ ଭାବେ ପାଳନ କରାଯିବ। ତେଣୁ ଏଥିରେ ରାଉରକେଲାର ସମସ୍ତ ଜନସାଧାରଣ ସହଯୋଗ କରିବାକୁ କମିଶନର ଏବଂ ଏସପି ଅନୁରୋଧ କରିଛନ୍ତି।

ରାଉରକେଲା ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପ, ସର୍ବସାଧାରଣ ସ୍ଥାନରେ ଜିରୋ ନାଇଟ୍ ଏବଂ ନୂଆ ବର୍ଷ ପାଳନ ଉପରେ କଟକଣା ଜାରି କରାଯାଇଛି। ଏହା ସହ ସର୍ବସାଧାରଣ ସ୍ଥାନରେ ଭିଡ଼ ନକରିବା ଲାଗି ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି। ନିୟମ ଉଲଂଘନ କଲେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ରାଉରକେଲା ସହରବାସୀଙ୍କୁ ଅପିଲ୍ କରି କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନ ଭାଇରସ୍ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାକୁ ଆମେ ସତର୍କତାର ସହ ମୁକାବିଲା କରିବାକୁ ପଡ଼ିବ। ରାଜ୍ୟ ସରକାର ଯେଉଁ ଗାଇଡଲାଇନ୍ ଜାରି କରିଛନ୍ତି ତାହାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ। ସମସ୍ତେ ସତର୍କ ଏବଂ ସଚେତନ ହେଲେ ହିଁ ଏହି ନୂଆ ଭ୍ୟାରିଏଣ୍ଟକୁ ଆମେ ମୁକାବିଲା କରିପାରିବା। ତେଣୁ ସହରବାସୀ ଏଥିରେ ସହଯୋଗ କରନ୍ତୁ।

ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ କୁମାର ଭାମୁ କହିଛନ୍ତି ଯେ, ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ସଚେତନ ନାଗରିକ ହିସାବରେ ସମସ୍ତେ ଏହି ନିୟମକୁ ପାଳନ କରିବା ଉଚିତ। ଯେଉଁମାନେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସେ ତାହାଲେ ସେମାନଙ୍କ ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ବାହାଘର ଏବଂ ଶୁଦ୍ଧିକ୍ରିୟା ଆୟୋଜନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ସାମୂହିକ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍ ଲଗାଯାଇଛି।

ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ଯାଏଁ ରାଉରକେଲା ସହରରେ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସାଧାରଣ ଦର୍ଶନ ଉପରେ କଟକଣା ରହିଛି। କେବଳ କୋଭିଡ କଟକଣା ଭିତରେ ଏହିସବୁ ସ୍ଥାନରେ ନୀତିକାନ୍ତି ଆୟୋଜନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କୋଭିଡ୍ ମହାମାରୀକୁ ହରାଇବା ପାଇଁ ସମସ୍ତେ କୋଭିଡ୍ ଉପୋଯୋଗୀ ଅଚରଣ ମାନିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମାସ୍କ ପିନ୍ଧିବା, ହାତକୁ ଭଲଭାବେ ଧୋଇବା, ସାମାଜିକ ଦୂରତା ରଖିବା ଏବଂ ସର୍ବସାଧାରଣ ସ୍ଥାନରେ ଭିଡ଼ ନକରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.