ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି ।
ଏହି ସହାୟତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି। ରାଉରକେଲା ସହିତ ବଣାଇ ଉପଖଣ୍ଡ ର ମୋଟ ୧୯୧ ଖବର କାଗଜ ହକର ଏହି ସୁବିଧା ପାଇଛନ୍ତି। ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାଯ୍ୟାଳୟ ଠାରେ ଭିଡିଓ କନଫରେନ୍ସ ମାଧ୍ଯମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ଯ ଜ୍ୟୋତି ନାୟକ ଏହି କାଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହାଛଡ଼ା ରାଉରକେଲା ହକର ଏସୋସିଏସନ ର ସେକ୍ରେଟାରୀ ବୀମାନ ମଇତି ସମେତ ହକର ମାନେ ମଧ୍ଯ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ଙ୍କୁ ପଦକ୍ଷେପ କୁ ସ୍ବାଗତ ଜଣାଇ ଥିଲେ।
ସେହିପରି ଏହି ଯୋଜନା ରେ ସୁନ୍ଦରଗଡ଼ ର ୧୦୯ ଖବର କାଗଜ ହକର୍ ମାନେ ସାମିଲ ହୋଇଛନ୍ତି । ଆଜି ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଭିଡିଓ କନଫେରେନସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ଶ୍ରମ ନିରୀକ୍ଷକ ଗୌର ତାଣ୍ଡି ଏବଂ ଖବର କାଗଜ ହକର୍ ମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଦୁର୍ଘଟଣା ଜନିତ ସଂପୂର୍ଣ୍ଣ ଅକ୍ଷମତା ଯୋଗୁ ହକର୍ ମାନଙ୍କୁ ଦେଢ଼ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର୍ ମାନଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା ହକର୍ ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ସାମିଲ ହୋଇଥିବା ହକର୍ ମାନେ ଏହି ଯୋଜନା ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

