ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକ ଖୁଖୁଣ୍ଡବାହାଲରେ ଖୋଲିଲା ମିଲେଟ ଶକ୍ତି ଟିଫିନ ସେଣ୍ଟର।

0 373

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ରୁଚିକର ଖାଦ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲାଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ ମଙ୍ଗଳବାର ଦିନ କୁଆଁରମୁଣ୍ଡା ବ୍ଲକର ଖୁଖୁଣ୍ଡୁବାହାଲଠାରେ ଜିଲ୍ଲାର ତୃତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ଏହାକୁ ଉଦଘାଟନ କରିଛନ୍ତି।

ଏହି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ସ୍ଥାନୀୟ ନୀରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ଏସଏଚଜି ମା’ମାନେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକୁଡ଼ି, ଲଡୁ, ବ୍ରେଡ୍ ଚପ୍, ଗୁଲୁଗୁଲା ଭଳି ସୁଆଦିଆ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।

ପୂର୍ବରୁ ରାଜଗାଙ୍ଗପୁର ବ୍ଲକରେ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିଥିବା ବେଳେ ନୂଆଗାଁ ବ୍ଲକଠାରେ ଦ୍ୱିତୀୟ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଖୋଲିଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିଭଳି ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ସହିତ ରାଉରକେଲାଠାରେ ମିଲେଟ୍ କାଫେ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପରିମାଣର ପୋଷଣ ରହିଛି। ତେଣୁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଏହି ଟିଫିନ୍ ସେଣ୍ଟର ଉଦଘାଟନ ଅବସରରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟପ୍ପୋ, କୁଆରମୁଣ୍ଡା ସିଡିପିଓ ଆନାଷ୍ଟିସିଆ ଲାକ୍ରା, କୁଆରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁ, ଆଇସିଡିଏସ ପ୍ରକଳ୍ପ ଅଧିକାରୀ ତୁଲେଶ୍ୱରି ପଟେଲ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ଓ ଅରବିନ୍ଦ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.