“ଶିଶୁ ଅନୁକୂଳ ସୁନ୍ଦରଗଡ଼” ଲାଗି ଜିଲ୍ଲାସ୍ତରୀୟ କର୍ମଶାଳା।। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶିଶୁ ଅନୁକୂଳ ଉପାଦାନ ଲାଗି ଜିଲ୍ଲାପାଳଙ୍କ ଗୁରୁତ୍ୱ।

0 273

ଶିଶୁମାନେ ହେଉଛନ୍ତି ଆମ ଦେଶର ସମ୍ପଦ। ତେଣୁ ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେବା ପାଇଁ ଆମ ସମାଜକୁ ଶିଶୁ ଉପଯୋଗୀ କରିବାକୁ ହେବ, ଯେଉଁଠି ସେମାନଙ୍କ ଅଧିକାର ସୁନିଶ୍ଚିତ ହେବା ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ସହଭାଗୀ ହୋଇପାରିବେ। ଏଭଳି ଲକ୍ଷ୍ୟ ରଖି ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ‘ଶିଶୁ ଅନୁକୂଳ ବା ଚାଇଲ୍ଡ ଫ୍ରେଣ୍ଡଲି ସୁନ୍ଦରଗଡ଼’ ଭଳି ଏକ ଅଭିନବ କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିକାଶ ଭବନଠାରେ ସୋମବାର ଏକ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଏହି କର୍ମଶାଳାର ଶୁଭାରମ୍ଭ କରି ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଶୀଦାରମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଶାସନର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଶିଶୁ ଅନୁକୂଳ ଉପାଦାନ ଯୋଡ଼ିବା ଲାଗି ସେ ପରାମର୍ଶ ଦେଇଛନ୍ତି।

“ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କର ଜୀବନ ଧାରଣ ପାଇଁ ଉପଯୁକ୍ତ ପରିବେଶ, ନିରାପତ୍ତା ସହ ଶିଶୁଙ୍କ ଦକ୍ଷତାର ବିକାଶ ଏକାନ୍ତ ଜରୁରୀ। ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିପାରିଲେ ହିଁ ସେମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ। ଏଥିରେ ବ୍ଲକ୍‌ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଂଶୀଦାର ବା ଷ୍ଟେକ୍ ହୋଲ୍ଡରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ସହ ଘରୋଇ ସ୍ୱେଚ୍ଛାସେବୀ ସଂସ୍ଥା, ସାଧାରଣ ଜନତା ସମସ୍ତେ ଏ ଦିଗରେ ଯତ୍ନବାନ ହେବା ଉଚିତ୍‌”, କର୍ମଶାଳାକୁ ସମ୍ବୋଧିତ କରିବା ଅବସରରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ପିଲାଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବେ ଜିଲ୍ଲାକୁ ଶିଶୁ ଅନୁକୂଳ କରିବା ଲାଗି ସବୁ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ଜରୁରୀ।

ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କର୍ମଶାଳାରେ ଯୋଗଦେଇ କହିଥିଲେ ଯେ, ଥାନାଗୁଡ଼ିକୁ ଶିଶୁ ଅନୁକୂଳ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଥାନା ପରିସରରେ ପାଠାଗାର ଖୋଲାଯିବା ସହ ପିଲାଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ପ୍ରକାର ପୁସ୍ତକ ଓ କ୍ରୀଡ଼ା ଉପକରଣ ରଖାଯାଇଛି । ସୁନ୍ଦରଗଡ଼କୁ ଶିଶୁ ଅନୁକୂଳ କରିବା ଲାଗି ଜିଲ୍ଲା ପ୍ରଶାସନର ଅଭିଯାନରେ ଆମେ ସମସ୍ତେ ସାମିଲ ହେବା ଉଚିତ୍ ।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଥିଲେ, ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନର ବିଭିନ୍ନ ପଦକ୍ଷେପ ଯୋଗୁଁ ସୁନ୍ଦରଗଡ଼ରେ ଶିଶୁମାନଙ୍କ ପୋଷଣ, ବିକାଶ ଓ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ ହୋଇପାରିଛି। ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ।

ଅନ୍ୟମାନଙ୍କ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ଶିଶୁମାନଙ୍କ ଜୀବନ ଧାରଣର ମାନ, ବିକାଶ, ସୁରକ୍ଷା ଓ ସହଭାଗିତା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ୟୁଥ୍ ଫର୍ ସୋସିଆଲ୍ ଡେଭଲପ୍‌ମେଣ୍ଟର ସେକ୍ରେଟାରୀ ବିଭୁ ପ୍ରସାଦ ସାହୁ ‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ସ୍ୱେଚ୍ଛାସେବୀ ସଂସ୍ଥା ଦିଶାର ସେକ୍ରେଟାରୀ ଏ.କେ. ଆଜାଦ ଧନ୍ୟବାଦ ଅର୍ପଣ କରିଥିଲେ।

ଏଡି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ବିଡିଓ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡିଏମ୍‌ଏଫ୍ ଅଧିକାରୀ ଓ ଶିଶୁ କଲ୍ୟାଣ ସମିତିର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ।

‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମ ପଞ୍ଚାୟତକୁ ଶିଶୁ ଅନୁକୂଳ କରାଯାଉଛି। ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ୱାଇଏସ୍‌ଡି ଓ ଦିଶା ଭଳି ୨ଟି ସ୍ୱେଚ୍ଛାସେବୀ ସଂସ୍ଥାକୁ ଦିଆଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେଉଛି।

Leave A Reply

Your email address will not be published.