ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ରୁଦ୍ର ପ୍ରସାଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

0 304

ସୁନ୍ଦରଗଡ଼, ୮ ସେପ୍ଟେମ୍ବର ୨୦୨୧: କୋଭିଡ୍‌ରେ ଆକ୍ରାନ୍ତ ଥାଇ ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ସାମ୍ବାଦିକ ରୁଦ୍ର ପ୍ରସାଦ ଦଣ୍ଡସେନାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ବୁଧବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜ କାର୍ଯ୍ୟାଳୟରେ ମୃତ ସାମ୍ବାଦିକଙ୍କ ପତ୍ନୀ ସବିତା ଦଣ୍ଡସେନାଙ୍କୁ ଚେକ୍ ଆକାରରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସହକାରୀ ଜିଲ୍ଲାପାଳ କୁନ୍ତୀରାଣୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅନିଲ କୁମାର କେରକେଟା ଉପସ୍ଥିତ ଥିଲେ।

ରାଜ୍ୟର ଏକ ପ୍ରମୁଖ ଖବରକାଗଜର ହେମଗିର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ବେଳେ ରୁଦ୍ର ପ୍ରସାଦ ଦଣ୍ଡସେନା କରୋନା ସଂକ୍ରମଣର ଶିକାର ହୋଇଥିଲେ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ଏପ୍ରିଲ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏହାସହିତ କରୋନାରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁମୋଦନ ପରେ ରୁଦ୍ର ପ୍ରସାଦଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଦିବଂଗତ ରୁଦ୍ରଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି।

Leave A Reply

Your email address will not be published.