କୋଭିଡ କଟକଣା ନ ମାନିଲେ ପୁଣି ଫେରିବ ଲକଡାଉନ : ପିଲାମାନଙ୍କ ଟୀକା କରଣ ହୋଇନାହିଁ : ଆମେ ସମସ୍ତେ ଅଧିକ ଯତ୍ନବାନ ହେବା ଉଚିତ|
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ ଏବଂ ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି। କୋଭିଡ ସ୍ଥିତି କୁ ନିୟନ୍ତ୍ରଣ ରେ ରଖିବା ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଓ ପୋଲିସ ମାନଙ୍କ ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ସମୟରେ ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଛନ୍ତି।
ସୂଚନା ଯୋଗ୍ୟଯେ ଆଜି ରାଜ୍ୟର ଢେଙ୍କାନାଳ ଏବଂ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲ ରେ 32 ଜଣ ଛାତ୍ର କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ସରକାର ଏହାକୁ ଗୁରୁତର ଭାବେ ଗ୍ରହଣ କରି ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି ।