ନୋଏଡା: ଯମୁନା ଏକ୍ସପ୍ରେସୱେ ରେ ଚଳନ୍ତା ବସ୍ ରେ ନିଆଁ ଲାଗି ଗଲା।। ୯ ଯାତ୍ରୀ ଜୀବନ୍ତ ଦଗ୍ଧ।। ଆହତ ଯାତ୍ରୀ ହସ୍ପିଟାଲ୍ ରେ ଭର୍ତ୍ତି।
ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ବସରେ ଭୟାବହ ଅଗ୍ନିକାଣ୍ଡ । ୯ ବସ୍ ଯାତ୍ରୀ ମୃତ।
ଦିଲ୍ଲୀ:୨୪/୯(ସତ୍ୟାନ୍ୟୁଜ) ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ। ଜୀବନ୍ତ ଦଗ୍ଧ ହୋଇ ୯ ଯାତ୍ରୀଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି।
ବୁଧବାର ରାତି ପ୍ରାୟ ସାଢ଼େ ୧୧ଟା। ଦିଲ୍ଲୀରୁ ଉତ୍ତରପ୍ରଦେଶର ମହୋବା ଅଭିମୁଖେ ଯାଉଥିଲା ଏକ ଘରୋଇ ସ୍ଲିପର ବସ। ବସରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ।
ଯମୁନା ଏକ୍ସପ୍ରେସୱେରେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା। ଜଣେ ଯାତ୍ରୀଙ୍କ ଏତଲା ଅନୁସାରେ, ନିଆଁ ଲାଗିବା ପୂର୍ବରୁ ବସର ଡ୍ରାଇଭର କ୍ୟାବିନରୁ କିଛି ଜଳିବାର ଗନ୍ଧ ଆସିଥିଲା।
ଦେଖୁ ଦେଖୁ ନିଆଁ ବସର ସମଗ୍ର ଭିତର ଅଂଶକୁ ବ୍ୟାପି ଯାଇଥିଲା। ଘନ ଧୂଆଁରେ ଭରି ଯାଇଥିଲା ବସ୍ ଭିତର। ଜୀବନ ବଞ୍ଚାଇବାକୁ ଯାତ୍ରୀମାନେ ଠେଲାପେଲା ହୋଇ ବାହାରକୁ ଆସିଥିଲେ।
କିଛି ଯାତ୍ରୀ ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ବସର ଝରକା ଭାଙ୍ଗିବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ ୯ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା।
ପ୍ରାଥମିକ ତଦନ୍ତରେ ବସର ଏସିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଗୁରୁତ୍ୱର ସହ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।