ରାଉରକେଲା : ୩ ବାବାବେଶଧାରୀ ଲୁଟେରା ଗିରଫ।। ରାସ୍ତା ଉପରେ ମହିଳାଙ୍କୁ ଧମକାଇ ସୁନା ଅଳଙ୍କାର ଲୁଟ୍।। ଲୁଟ୍ ଅଳଙ୍କାର ଉଦ୍ଧାର କଲା ପୋଲିସ।

0 109

ବାବା ବେଶରେ ଆସି ମହିଳାଙ୍କୁ ଲୁଟ୍ ଅଭିଯୋଗ, ୩ ଜଣ ଗିରଫ
ରାଉରକେଲା:୨୪/୯ (ସତ୍ୟାନ୍ୟୁଜ)
ବାବା ବେଶରେ ଆସି ଜଣେ ମହିଳାଙ୍କୁ ଭୟଭୀତ କରି ସୁନା ବଳା ଲୁଟି ନେବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସେକ୍ଟର-୭ ଥାନା ପୋଲିସ। ରାଉରକେଲାର ଚେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ସକାଳେ ଏହି ଘଟଣା ଘଟିଥିଲା।
ପୋଲିସ ସୂଚନା ଅନୁସାରେ, ସକାଳ ପ୍ରାୟ ୧୧ଟା ୧୫ ମିନିଟରେ ବାବା ବେଶରେ ଥିବା ୩ ଜଣ ବ୍ୟକ୍ତି ସ୍ନେହଲତା ଜେନା ନାମକ ଜଣେ ମହିଳାଙ୍କୁ ଅଟକାଇଥିଲେ। ପ୍ରଥମେ ସେମାନେ ମହିଳାଙ୍କୁ ଟଙ୍କା ମାଗିଥିଲେ। ମହିଳା ଟଙ୍କା ଦେବାକୁ ମନା କରିବା ପରେ ତାଙ୍କୁ ଭୟଭୀତ କରି ଅଳଙ୍କାର ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏହାପରେ ଅଭିଯୁକ୍ତମାନେ ମହିଳାଙ୍କ ହାତରୁ ଗୋଟିଏ ସୁନା ବଳା ନେଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ଜୋରରେ ପାଟି କରିବାରୁ ଆଖପାଖରେ ଥିବା ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ସ୍ଥାନୀୟ ଲୋକେ ୩ ଜଣଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲା।
ଏନେଇ ସ୍ନେହଲତା ଜେନାଙ୍କ ଲିଖିତ ଅଭିଯୋଗ ଆଧାରରେ ସେକ୍ଟର-୭ ଥାନାରେ କେସ୍ ନମ୍ବର ୨୨୪ରେ ମାମଲା ରୁଜୁ ହୋଇଛି। BNSର ଧାରା ୩୦୮(୫)/୩(୫) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଗିରଫ ୩ ଅଭିଯୁକ୍ତ ହେଲେ କରମବୀର ନାଥ, ଗୋରଖ ନାଥ ଏବଂ ରାଜନ ନାଥ। ସେମାନଙ୍କ ବୟସ ଯଥାକ୍ରମେ ୩୦, ୪୫ ଓ ୨୫ ବର୍ଷ। କରମବୀର ଓ ଗୋରଖ ନାଥ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାଫରପୁର ଥାନା ଅଞ୍ଚଳର ହୋଇଥିବା ବେଳେ ରାଜନ ନାଥ ହରିୟାଣାର ସୋନିପତ ଅଞ୍ଚଳର ବୋଲି ପୋଲିସ କହିଛି।
ସେମାନଙ୍କ ନିକଟରୁ ଗୋଟିଏ ସୁନା ବଳା ସହ କମଣ୍ଡଳୁ, ରୁଦ୍ରାକ୍ଷ ମାଳା, ଲୁହା ଚେନ୍, ଲୁହା ଓ ପିତ୍ତଳ ବଳା, ପିତ୍ତଳ ବାଲ୍ଟି, ଦୁଇଟି ବ୍ୟାଗ୍, ଶଙ୍ଖ ଏବଂ ୧,୪୫୦ ଟଙ୍କା ନଗଦ ଜବତ କରାଯାଇଛି।
ଏହି ୩ ଜଣଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି କି ନାହିଁ ଏବଂ ଏଭଳି ଅନ୍ୟ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ଯାଞ୍ଚ କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.