କୋଇଡା : କୋଇଡାରେ ଅର୍ଥନୈତିକ ଅବରୋଧ: ରେଳ, ରାଜପଥ ଓ ଖଣିରେ କାମ ଠପ୍।। ଅଟକି ରହିଲା ହଜାର ହଜାର ଟ୍ରକ୍‌।। ସିଆଇଟିୟୁର ଅର୍ଥନୈତିକ ଅବରୋଧ।

0 69

ଅର୍ଥନୈତିକ ଅବରୋଧ।ରେଳଠାରୁ ଜାତୀୟ ରାଜପଥ, ଖଣି—ସବୁଠି ଅନିର୍ଦ୍ଦିଷ୍ଟକାଳୀନ ବନ୍ଦ।

କୋଇଡା:୨୪/୯(ସତ୍ୟାନ୍ୟୁଜ) ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମଗ୍ର କୋଇଡା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟକାଳୀନ ଅର୍ଥନୈତିକ ଅବରୋଧ ଜାରି ରଖିଛି ସିଆଇଟିୟୁ। ୟୁନାଇଟେଡ୍ ମାଇନ୍ସ ମଜଦୁର ୟୁନିଅନ୍ ପକ୍ଷରୁ ଆୟୋଜିତ ଏହି ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥ ୫୨୦ ସମେତ ଖଣିଜ ପରିବହନ ଓ ରେଳ ସାଇଡିଂରେ କାର୍ଯ୍ୟ ପ୍ରଭାବିତ ହୋଇଛି।

ଦୁଇ ବର୍ଷ ଧରି ବାରମ୍ବାର ଲିଖିତ ଅଭିଯୋଗ, ବୈଠକ, ପ୍ରତିଶ୍ରୁତି ସତ୍ତ୍ୱେ ସ୍ଥାନୀୟ ରେଳ ସାଇଡିଂରେ ଦୁଇ ମାସ ଧରି ରେକ୍‌ ଲୋଡିଂ ନ ହେବା, ଅତିରିକ୍ତ ୬୫ ପ୍ରତିଶତ ରୟାଲ୍ଟି ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରତ୍ୟାହାର, ସେଲ୍‌ ପରିଚାଳିତ କାଲଟା ଓ ତାଲଡିହି ଖଣିରେ ଶ୍ରମିକଙ୍କ ଜୀବିକା ପ୍ରଭାବିତ ନ କରିବା ଏବଂ କାଲଟା ଖଣିରୁ ରକ୍ସି ରେଳ ଲୋଡିଂ ସାଇଡିଂକୁ ପର୍ଯ୍ୟାପ୍ତ ଲୁହାପଥର ଯୋଗାଣ ଆଦି ଦାବି ନେଇ ଏହି ଆନ୍ଦୋଳନ ଚାଲିଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିଆଇଟିୟୁ ରାଜ୍ୟ ସମ୍ପାଦକ ପ୍ରମୋଦ ସାମଲ, ପ୍ରଭାତ ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୧୨ ହଜାର ଶ୍ରମିକ ଏହି ଅବରୋଧରେ ସାମିଲ ହୋଇଥିଲେ । ରକ୍ସି, ରେଞ୍ଜଡା, ପଟାସାହି, ବିମଳାଗଡ଼, ବରସୁଆଁ ସମେତ ୬ଟି ରେଳ ସାଇଡିଂ ଓ କାଲଟା-ତାଲଡିହି ଖଣି ଅଞ୍ଚଳରେ କାର୍ଯ୍ୟ ବନ୍ଦ ରହିଛି। ଅବରୋଧ ଯୋଗୁଁ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ୍‌ ଓ ଟିପର୍‌ ରାସ୍ତାରେ ଅଟକି ରହିଥିବା ବେଳେ ରେଳ ସାଇଡିଂରେ ମଧ୍ୟ ଲୋଡିଂ ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ କୋଇଡା ଖଣି ଅଞ୍ଚଳର ଖଣିଜ ପରିବହନ ଓ ଦୈନନ୍ଦିନ ଅର୍ଥନୈତିକ କାରବାର ଉପରେ ବଡ଼ ପ୍ରଭାବ ପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବଣାଇ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ, ପୁଲିସ ବଳ ଓ ରେଳବାଇ ପୁଲିସ ମୁତୟନ ହୋଇଛନ୍ତି। ରେଳ ଏଆରଏମ୍‌ ଓ କୋଇଡା ତହସିଲଦାର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ତେବେ ଆଲୋଚନାରୁ କୌଣସି ସମାଧାନ ବାହାରି ନଥିବାରୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ ଜାରି ରହିବ ବୋଲି ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.