ବଡ଼ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ପିକଅପ୍ ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକ ମୃତ, ୨ ଆହତ
ସୁନ୍ଦରଗଡ଼: ୯/୯ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ମହାବୀର ଛକ ନିକଟରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ୬୫ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ କୁରେଇବାଗା ଯାଉଥିବା ଏକ ଅଲ୍ଟୋ କାରକୁ ମହାବୀର ଛକ ନିକଟରେ ପଛପଟୁ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ଜୋରଦାର ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସନ୍ତୋଷ କୁମାର ପ୍ରୁସେଠଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ମୃତ ସନ୍ତୋଷ କୁମାର ପ୍ରୁସେଠ କୁରେଇବାଗା ଗ୍ରାମର ବାସିନ୍ଦା ଏବଂ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଥିଲେ।
ଦୁର୍ଘଟଣାରେ କୁଲାବିରା ଗ୍ରାମର କୁବେର ଚନ୍ଦ୍ର ପ୍ରୁସେଠ (୫୫) ଏବଂ ବାରବ ଗ୍ରାମର ରୋମାଞ୍ଜ ସାହୁ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଚାଲିଥିବା ଦେମୁଲ ପୂଜା ଅବସରରେ ସନ୍ତୋଷ ତାଙ୍କର ଦୁଇ ଜ୍ୱାଇଁଙ୍କ ସହ କୁରେଇବାଗା ଫେରୁଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଏହି ଅଘଟଣ।
ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।