ଯାଜପୁର: ସ୍ୱାମୀ ହନ୍ତା ସ୍ତ୍ରୀ କୁ ଆଜୀବନ କାରାଦଣ୍ଡାଦେଶ।। ଯାଜପୁର ଜିଲ୍ଲା ମଙ୍ଗଳପୁର ରେ ୨୦୨୧ ରେ ହୋଇଥିଲା ହତ୍ୟାକାଣ୍ଡ।
ସ୍ୱାମୀଙ୍କୁ ହତ୍ୟା ମାମଲାରେ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ।
ଯାଜପୁର, ୧୧/୯ (ସତ୍ୟାନ୍ୟୁଜ):
ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରଗତିବିହାରରେ ୨୦୨୧ ମସିହାରେ ଘଟିଥିବା ଚର୍ଚ୍ଚିତ ସ୍ୱାମୀ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ମାମଲାରେ ଅଭିଯୁକ୍ତ ପତ୍ନୀ ମମତା କୁଅଁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ।
ମିଳିଥିବା ସୂଚନା ଅନୁସାରେ, ପ୍ରଗତିବିହାରରେ ଭଡ଼ା ଘରେ ରହୁଥିବା ଅଟଳ କୁଅଁର ଓରଫ ସୁବାଷଙ୍କୁ ୨୦୨୧ ମସିହାରେ ହତ୍ୟା କରାଯାଇଥିଲା। ଅଟଳ ଶୋଇଥିବା ସମୟରେ ତକିଆ ଏବଂ ଚାର୍ଜର କର୍ଡ ବ୍ୟବହାର କରି ତାଙ୍କ ଗଳା ଚାପି ହତ୍ୟା କରାଯାଇଥିବା ଅଭିଯୋଗ ରହିଥିଲା।
ମାମଲାରେ ୧୫ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଦାଲତ ମମତା କୁଅଁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧୨ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।
ତେବେ ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇଜଣଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।