ରାଉରକେଲା : ଡେଟିଂ ଆପ୍ ଜରିଆରେ ବନ୍ଧୁତା କରି ଟଙ୍କା ଲୁଟୁ ଥିବା ଗ୍ୟାଙ୍ଗ ର ପର୍ଦ୍ଦାଫାସ।। ୮ ଗିରଫ , ପିସ୍ତଲ୍ , ନଗଦ ଟଙ୍କା ଜବତ୍।
ରାଉରକେଲା : ୨/୧୦(ସତ୍ୟାନ୍ୟୁଜ) ଡେଟିଂ ଆପ୍ ଜରିଆରେ ବନ୍ଧୁତା କରି ବ୍ଲାକ ମେଲିଂ କରିବା ଏବଂ ବନ୍ଧୁକ ମୁନରେ ଟଙ୍କା ଲୁଟିବା ଗ୍ୟାଙ୍ଗ ର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ। ଏହି ଗ୍ୟାଙ୍ଗ ର ସଦସ୍ୟ ମାନେ ଗ୍ରାଇଣ୍ଡର୍
ଆପ୍ ନାମକ ଏକ dating ଏବଂ meet-up ଆପ୍ ଜରିଆରେ ବନ୍ଧୁତା କରୁଥିଲେ। ପରେ ତାଙ୍କ ସହ ଦେଖା ହେବା ପାଇଁ ଏକ ନିକାଞ୍ଚନ ଜାଗାକୁ ଫୋନ୍ କରି ଡାକୁ ଥିଲେ। ପୂର୍ବରୁ ସେଠାରେ ଛକି ରହି ଥିବା ଏହି ଗ୍ୟାଙ୍ଗ ର ୫ ରୁ ୭ ଜଣ ସଦସ୍ୟ ପିସ୍ତଲ ଦେଖାଇ ଧମକାଇବା ପରେ ପୀଡିତ ଙ୍କ ଆକାଉଣ୍ଟ ରୁ ନିଜ ଆକାଉଣ୍ଟ କୁ ଟଙ୍କା ଟ୍ରାଂସଫର୍ କରୁଥିଲେ। ଯେଉଁ ମାନେ ଆପ୍ ଜରିଆରେ ପ୍ରଲୋଭିତ ହୋଇ ନମ୍ବର ଶେୟାର୍ କରୁ ଥିଲେ ସେହି ମାନଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ୍ କରୁଥିଲେ। ଗ୍ରାଇଣ୍ଡର୍ ଆପ୍ ଗ୍ୟାଙ୍ଗ ନାଁରେ ପୂର୍ବରୁ ରଘୁନାଥପାଲି ଥାନାରେ ଦୁଇଟି ମାମଲା ରହିଛି। ରାଉରକେଲାରେ ଏହି ଗ୍ୟାଙ୍ଗ ୧୦ ରୁ ୧୨ ଜଣଙ୍କୁ ଟାର୍ଗେଟ କରି ଟଙ୍କା ଅସୁଲ କରିଥିବା ପୋଲିସ ଜାଣିବାକୁ ପାଇଛି। ଜଣେ ଯୁବକଙ୍କ ନିକଟରୁ ଅଭିଯୋଗ ପାଇବା ପରେ ପୋଲିସ ଗ୍ୟାଙ୍ଗ ର ଆଠ ଜଣ ସଦସ୍ୟ ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ , ନଗଦ ୯ ହଜାର ୫୦୦ ଟଙ୍କା , ୭ଟି ମୋବାଇଲ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ଦୁଇଟି ବାଇକ୍ ଜବତ କରିଛନ୍ତି। ଗ୍ୟାଙ୍ଗ ର ଅନ୍ୟ ସଦସ୍ୟ ମାନଙ୍କୁ ଧରିବାକୁ ପୋଲିସ ର ଉଦ୍ୟମ ଜାରି ରହିଛି।