ସୁନ୍ଦରଗଡ଼ : କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।। ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ହକି ଖେଳାଳୀ ମୃତ।
ସୁନ୍ଦରଗଡ଼ : ୨୯/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଚେମ୍ପାପଡାରେ ୧୨ ଘଣ୍ଟା ହେଲା ଶବ ରଖି ଚାଲିଛି ରାସ୍ତା ରୋକ । ରାସ୍ତା କାମ ଚାଲିଥିବା ବେଳେ କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଗତ କାଲି ରାତିରେ ଲହଣ୍ଡାବୁଡ ଗାଁ ସନ୍ତୋଷ ସୁନ୍ୟାନିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ବସି ଯାଇଥିଲେ। ରାସ୍ତାରେ ଶବ ରଖି ୧୨ ଘଣ୍ଟା ହେଲା କ୍ଷତି ପୂରଣ ଦାବିରେ ସଡକ ଅବରୋଧ କରିଛନ୍ତି। ଠିକାଦାର କ୍ଷତିପୂରଣ ପ୍ରଦାନ ପାଇଁ ରାଜି ହେଲା ପରେ ଗ୍ରାମବାସୀ ବୁଝି ଯାଇଥିଲେ । କିନ୍ତୁ ପରିବାର ଲୋକେ ରାତି ସାରା ରାସ୍ତା ରୋକ କରିବା ସହିତ ବର୍ତ୍ତମାନ ମଧ୍ୟ ରାସ୍ତା ରୋକ ଜାରି ରଖିଛନ୍ତି । ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ରାସ୍ତା ଅବରୋଧ ଚାଲିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଗତକାଲି ରାତିରେ ଦୁଇ ଜଣ ହକି ଖେଳାଳି ମୃତ୍ୟୁ ବରଣ କରିଛନ୍ତି। ଛତିଶଗଡ ଟପକରା ଥାନା କତେଇବେରା ନିକଟରେ ତେଲ ଟ୍ୟାଙ୍କର ଧକ୍କା ରେ ଦୁଇ ହକି ଖେଳାଳି ଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ରାମପୁର ପଞ୍ଚାୟତର ସୂମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ସୂଚନା ମିଳିଛି। ଉଭୟ ହକି ଖେଳିବା ପାଇଁ ଛତିଶଗଡ଼ ବଲୁଆବାହାଲ ଗାଁ ଯାଇଥିଲେ।