ବଣାଇ : ସାଇବର ଠକଙ୍କ ଟାର୍ଗେଟ ରେ ମମତା ଯୋଜନା ହିତାଧିକାରୀ।। ଏହି ଯୋଜନାକୁ ଅସ୍ତ୍ର କରି ଗରିବଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

0 229

ବଣାଇ : ୨୨/୯(ସତ୍ୟାନ୍ୟୁଜ) ସାଇବର ଠକଙ୍କ ନୂଆ ଚାଲ୍‌। ମମତା ଯୋଜନାରେ ଟଙ୍କା ମିଳିବ ବୋଲି କହି ଫୋନ୍‌ କରୁଛନ୍ତି। ଆଉ ତା’ପରେ ଅଙ୍ଗନୱାଡି ଦିଦିଙ୍କୁ କନ୍‌ଫରେନ୍ସରେ ରଖି ଗର୍ଭବତୀଙ୍କ ଆକାଉଣ୍ଟ ଖୋଳ କରିଦେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ। ‘ମମତା ଯୋଜନା’କୁ ଅସ୍ତ୍ର କରି ସାଇବର ଠକ ଗାଁର ଗରିବ ଖଟିଖିଆ ମହିଳାଙ୍କ ଆକାଉଣ୍ଟ ଚଳୁ କରିଦେଉଛନ୍ତି।

ଲହୁଣୀପଡ଼ା ଥାନା ରଜାମୁଣ୍ଡା ଗାଁର ମାଳତୀ କିସାନଙ୍କ ପିଲା ଜନ୍ମ ପରେ ମିଳିନଥିଲା ‘ମମତା’ ଯୋଜନାର ଟଙ୍କା। ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ପାଖକୁ ଏକ ଅଜଣା ନମ୍ୱରରୁ ଏକ ଫୋନ୍‌ କଲ ଆସିଥିଲା। ଫୋନ୍‌ ରିସିଭ୍‌ କରିବା ପରେ ଜଣେ ବ୍ୟକ୍ତି ହିନ୍ଦୀରେ ମାଳତୀଙ୍କୁ ନାନା ପ୍ରଶ୍ନ ପଚାରି ଥିଲେ। ଅଣ୍ଡା, ଛତୁଆ ଓ ମମତା ଯୋଜନାରେ ଟଙ୍କା ମିଳୁଛି କି ନାହିଁ ପଚାରି ଥିଲେ। ହେଲେ ମମତା ଯୋଜନାରେ ଟଙ୍କା ମିଳିନଥିବା ମାଳତୀ କହିଥିଲେ। ଏହା ପରେ ଚତୁର ସାଇବର ଠକ(ଫୋନ୍‌ କରିଥିବା ବ୍ୟକ୍ତି) ମାଳତୀଙ୍କୁ ଲାଇନ୍‌ରେ ରଖି ରଜାମୁଣ୍ଡା ଅଙ୍ଗନୱାଡ଼ି ଦିଦି ସାରଥି ମହାନ୍ତଙ୍କୁ ଫୋନ୍‌ କରିଥିଲେ। ଏହାର ଅର୍ଥ ସାଇବର ଠକ, ମାଳତୀ ଓ ଅଙ୍ଗନୱାଡ଼ି ଦିଦି କନ୍‌ଫରେନ୍ସରେ ରହିଥିଲେ।
ଦୀର୍ଘ ସମୟ ଧରି ତିନି ଜଣଙ୍କ ମଧ୍ୟରେ ଚାଲିଲା ଆଲୋଚନା। ଆଲୋଚନା ଭିତରେ ସାଇବର ଠକକୁ ମମତା ଯୋଜନା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ ଅଙ୍ଗନୱାଡ଼ି ଦିଦି। ହେଲେ ସେ ସବୁ ପ୍ରଶ୍ନର ଉତ୍ତର ଦେଇଥିଲା। ଆଉ ନିଜକୁ ଜଣେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାହାରି ଭିତରେ ମାଳତୀଙ୍କୁ ସାଇବର ଠକ ପଚାରିଥିଲେ, ତୁମ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି? ତାହାର ଜବାବରେ ମାଳତୀ କହିଥିଲେ, ୨୫ ହଜାର ଟଙ୍କା ଅଛି। ସାଇବର ଠକ ପୁଣି ଥରେ ମାଳତୀଙ୍କୁ କହିଥିଲେ, ତୁମ ମୋବାଇଲ୍‌କୁ ଗୋଟିଏ ଲିଙ୍କ ଯାଇଛି, ତାକୁ କ୍ଲିକ୍‌ କରିବା ପରେ ଏକ ଓଟିପି ଆସିବ। ସେହି ଓଟିପି ନମ୍ୱର ଦେଲେ ତୁମ ଆକାଉଣ୍ଟରେ ୬ ହଜାର ଟଙ୍କା ଜମା ହୋଇଯିବ।

ସାଇବର ଠକଙ୍କ କଥାକୁ ପ୍ରଥମେ ବିଶ୍ୱାସ କରିନଥିଲେ ମାଳତୀ। ଏନେଇ କନ୍‌ଫରେନ୍ସରେ ଥିବା ଅଙ୍ଗନୱାଡ଼ି ଦିଦିଙ୍କୁ ପଚାରି ଥିଲେ। ଦିଦି ମଧ୍ୟ ସନ୍ଦେହରେ ପଡ଼ିଥିଲେ। ତଥାପି ହଁ କହିଥିଲେ। ଏହା ପରେ ମାଳତୀ ଓଟିପି ନମ୍ୱର ଦେଇଥିଲେ। ତା’ପରେ ମାଳତୀଙ୍କ ଆକାଉଣ୍ଟରୁ ୩ଟି ପର୍ଯ୍ୟାୟରେ ୧୯ ହଜାରରୁ ଅଧିକ ଟଙ୍କା କଟି ଯାଇଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ମାଳତୀ। ମମତା ଯୋଜନାରେ ଟଙ୍କା ମିଳିଲାନି, ହେଲେ ବହୁ କଷ୍ଟରେ ଆକାଉଣ୍ଟରେ ଜମା କରିଥିବା ଟଙ୍କା ସବୁ ନେଇଗଲା ସାଇବର ଠକ। ମାଳତୀଙ୍କ ପରି ଆହୁରି ଅନେକ ମହିଳାଙ୍କଠାରୁ ସାଇବର ଠକ୍‌ ଏମିତି ଫୋନ୍‌ କରି ଟଙ୍କା ହଡ୍‌ପ କରିଥିବା ଅଭିଯୋଗ ହୋଇଛି।

ଆଜି ଏନେଇ ଲହୁଣୀପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ ଲହୁଣୀ ପଡା ଥାନା ଅଞ୍ଚଳର ଗୁଡ଼ିଆଳି, କପଣ୍ଡ, ଶରଧାପୁର ଆଦି ଅଞ୍ଚଳରେ ଥିବା କିଛି ଗର୍ଭବତୀ ମହିଳାଙ୍କ ପାଖକୁ ପ୍ରତିଦିନ ଫ୍ରଡ୍‌ ଫୋନ୍‌ ଆସୁଛି। ଡାକ୍ତର ପରିଚୟ ଦେଇ ଫୋନ କରାଯାଉଛି। ମମତା ଯୋଜନାରେ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟି ନେଉଛନ୍ତି।

Leave A Reply

Your email address will not be published.