ବଣାଇ : ଜଙ୍ଗଲରୁ ମୂର୍ମୂଷ ଅବସ୍ଥାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଗର୍ଭବତୀ ନାବାଳିକା ଉଦ୍ଧାର।। ରାଉରକେଲା ରେ ଚାଲିଛି ଚିକିତ୍ସା ।। ସନ୍ଦେହ ଘେର ରେ ଥିବା ଗ୍ରାମ ସାଥୀ ଫେରାର।
ବଣାଇ : ୧୮/୯(ସତ୍ୟାନ୍ୟୁଜ) ନାବାଳିକା ଗର୍ଭବତୀ ପ୍ରେମିକାର ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ। ଏପରି ଏକ
ସମ୍ବେଦିନଶୀଳ ଏବଂ ଜଘନ୍ୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଦୁଇ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି।
ବଣାଇ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା କେବେଠାରୁ ବାପା-ମାଆଙ୍କୁ ହରାଇଥିଲେ। ତେଣୁ ଭାଇଙ୍କ ପାଖରେ ରହି ଜୀବନ ଅତିବାହିତ କରୁଥିଲେ। ଏହା ମଧ୍ୟରେ ଜଣେ ଗ୍ରାମ ସାଥୀଙ୍କ ସହ ସମ୍ପର୍କରେ ଆସିଥିଲେ ଉକ୍ତ ନାବାଳିକା। କେବେ ତାଙ୍କ ପ୍ରେମରେ ପଡ଼ିଗଲେ, ସେ ସମ୍ପର୍କରେ ଜାଣିପାରିଲେ ନାହିଁ। ଆଉ ଏହାର ସୁଯୋଗ ନେଇ ଉକ୍ତ ଗ୍ରାମ ସାଥୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଭାଇଙ୍କ ଅନୁପସ୍ଥିତି ରେ ନିୟମିତ ତାଙ୍କ ଘରକୁ ଆସୁଥିବା ଅଭିଯୋଗ ହୋଇଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ଏକଥା ଗ୍ରାମ ସାଥୀ ଜାଣିବା ପରେ ତାଙ୍କ ଚିନ୍ତା ବଢ଼ି ଯାଇଥିଲା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।
୭ ତାରିଖ ସନ୍ଧ୍ୟାରେ ଘରେ ନାବାଳିକା ଏକାକୀ ଥିଲେ। ସେହି ସମୟରେ ଗ୍ରାମ ସାଥୀ ତାଙ୍କ ଘରେ ପହଞ୍ଚି ବାହାନା କରି ଘରୁ ଡାକି ନେଇଥିଲେ। ନାବାଳିକା ପ୍ରେମିକଙ୍କ ଯୋଜନା ଜାଣି ନପାରି ତାଙ୍କ ସହ ଚାଲି ଯାଇଥିଲେ। ଗାଁଠାରୁ ପ୍ରାୟ ତିନି କିଲୋମିଟର ବାସୁଡ଼ିହି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ନାବାଳିକାଙ୍କ ହାତ ଓ ଗୋଡ଼ ବାନ୍ଧି ମାଡ଼ ମାରି ଥିଲେ। ମାଡ଼ ଯୋଗୁ ଚେତାହରାଇଥିଲେ ନାବାଳିକା। ମରିଯାଇଥିବା ଭାବି ତାଙ୍କୁ ସେହି ଜଙ୍ଗଲରେ ଫିଙ୍ଗି ପଳାଇ ଆସିଥିଲେ।
ରାତି ତମାମ ଜଙ୍ଗଲରେ ଚେତା ହରାଇ ପଡ଼ିଥିଲେ ନାବାଳିକା। ଘଞ୍ଚ ଜଙ୍ଗଲରେ ସେମିତି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ବେଳେ ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଆସିଥିଲେ। ସେହି ସମୟରେ ହାତ ଓ ଗୋଡ଼ ବନ୍ଧା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ନାବାଳିକାଙ୍କୁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କୁ ଖବର ଦେଇଥିଲେ। ତା’ପରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ୍କୁ ମଧ୍ୟ ଖବର ଦିଆ ଯାଇଥିଲା। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ପୁଲିସ୍ର ସୁରକ୍ଷା ଭିତରେ ନାବାଳିକାଙ୍କ ଚିକିତ୍ସା ଚାଲିଛି। ମେଡ଼ିକାଲ୍ ଚେକ୍ଅପ୍ରେ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଆଜି ପୀଡ଼ିତା ସାମାନ୍ୟ ସୁସ୍ଥ ହେବା ପରେ ଗ୍ରାମ ସାଥଙ୍କ ନାଁ କହିଥିଲେ। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଆଉ କିଛି କହିପାରୁ ନାହାନ୍ତି। ତେବେ ନାବାଳିକା ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ପୁଲିସ୍ ଅପେକ୍ଷା କରିଥିବା ଜଣାପଡ଼ିଛି। ସେପଟେ ଅଭିଯୋଗ ଆସିଥିବା ଗ୍ରାମ ସାଥୀ ଫେରାର ଥିବା ଜଣାପଡ଼ିଛି।