ବୌଦ୍ଧ: ୯/୯ (ସତ୍ୟାନ୍ୟୂଜ୍) ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଚାଲି ଯାଇଛି ୩ ଭଉଣୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ। ମୃତ ନାବାଳିକା ଝିଅଙ୍କ ବାପା ସୁଲେନ୍ଦ୍ର ମଲ୍ଲିକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ୧୩ ବର୍ଷୀୟା ସୁଧିରେଖା ମଲ୍ଲିକ, ୧୨ ବର୍ଷୀୟା ମଝିଆ ଝିଅ ଶୁଭରେଖା ମଲ୍ଲିକ ଓ ସାନ ଝିଅ ୩ ବର୍ଷୀୟା ସୁରଭୀ ମଲ୍ଲିକ।
ରବିବାର ରାତିରେ ଖାଇ ପିଇ ସୁଲେନ୍ଦ୍ରଙ୍କ ସହ ୩ ଝିଅ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ୩ ଝିଅ ଓ ସେମାନଙ୍କ ବପାକୁ କାମୁଡ଼ି ଦେଇଥିଲା। ସୁଲେନ୍ଦ୍ରଙ୍କ ସହ ୩ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ପତ୍ନୀ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ୩ ଝିଅ ଓ ବାପାକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ୩ ଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ସେମାନଙ୍କ ବାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି।
୩ଝିଅ ଓ ବାପାକୁ ଚିତି ସାପ କାମୁଡ଼ିଥିବା ସନ୍ଦେହ କରା ଯାଉଛି। ଏହି ଘଟଣା ପରେ ପରିବାର ଏବଂ ପାଖ ପଡୋଶୀରେ ଶୋକର ଛାୟା ଖେଳିଯାଇଛି।