ରାଉରକେଲା : ସୁଭଦ୍ରା ଯୋଜନାର ସଫଳ ରୂପାୟନ ନେଇ ସମସ୍ତଙ୍କ ସହାୟତା ଲୋଡିଲେ ଆର୍ ଏମ ସି କମିଶନର।। ଆବେଦନ ପାଇଁ ରହିଛି ୫୧ ଟି ଜନ ସେବା କେନ୍ଦ୍ର।
ମହିଳା ସଶକ୍ତିକରଣ ଦିଗରେ ବେଶ୍ ସହାୟକ ହେବ ‘ସୁଭଦ୍ରା’ ଯୋଜନା
‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ ନେଇ ସମସ୍ତଙ୍କ ସହାୟତା ଲୋଡ଼ିଲେ ମହାନଗର ନିଗମ କମିଶନର
ଆବେଦନ ପାଇଁ ସହରରେ ରହିଛି ୫୧ଟି ଜନସେବା କେନ୍ଦ୍ର ଓ ୭ଟି ମୋ ସେବା କେନ୍ଦ୍ର
ରାଉରକେଲା : ୬/୯ (ସତ୍ୟାନ୍ୟୂଜ୍) ରାଉରକେଲା ସହରରେ ଯେପରି କୌଣସି ବି ଯୋଗ୍ୟା ମହିଳା ରାଜ୍ଯ ସରକାରଙ୍କ ତରଫରୁ ମହିଳା ସଶକ୍ତିକରଣର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଶୁକ୍ରବାର ରାଉରକେଲା ସହରରେ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟକାରିତା ଓ ରୂପାୟନ ସଂମ୍ପର୍କିତ ସୂଚନା ପ୍ରଦାନ ନିମନ୍ତେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଆରଏମସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି l
ଏହି ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ଅଂଶୀଦାର ହେବା ପାଇଁ ମହିଳାଙ୍କ ବୟସସୀମା ୨୧-୬୦ ବର୍ଷ ହୋଇଥିବା ବେଳେ ରାଉରକେଲା ସହରର ସମସ୍ତ ଯୋଗ୍ୟା ମହିଳା ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲାଭାର୍ଥି ହୋଇପାରିବେ, ସେଥିନେଇ ଆମେ ଯତ୍ନବାନ୍ ଅଛୁ l ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ରାଉରକେଲାବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ଏପର୍ଯ୍ୟନ୍ତ ରାଉରକେଲା ର ୪୨୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡ଼ି କର୍ମୀ ୪୦ଟି ୱାର୍ଡ ସମେତ ୨୨ ଟି ସେକ୍ଟର ଅଞ୍ଚଳର ଘରକୁ ଘର ବୁଲି ୭୦ ହଜାରରୁ ଉର୍ଦ୍ଧ୍ବ ‘ସୁଭଦ୍ରା’ ଆବେଦନ ଫର୍ମ୍ ବଣ୍ଟନ କରିଛନ୍ତି । ଏଥି ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଫର୍ମ୍ ବଣ୍ଟନ ଜାରି ରହିଛି।
ଏହା ବ୍ୟତୀତ ଶ୍ରୀ କୁଲକର୍ଣ୍ଣି ଆବେଦନକାରୀ ମାନେ ନିର୍ଭୁଲ ଭାବେ ଆବେଦନ ଫର୍ମ ପୂରଣ କରି ସେମାନଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ତଥା ମୋ ସେବା କେନ୍ଦ୍ରରେ ଦାଖଲ କରିବାକୁ ଅନୁରୋଧ କରିଥିଲେ।
ଶ୍ରୀ କୁଲକର୍ଣ୍ଣି କହିଥିଲେ ଯେ ରାଉରକେଲା ସହରରେ ୫୧ଟି ଜନସେବା କେନ୍ଦ୍ର ସମେତ ୭ଟି ମୋ ସେବା କେନ୍ଦ୍ରରେ ଆବେଦନ ଜାରି ରହିଥିବା ବେଳେ ଆଧାର କାର୍ଡରେ ଥିବା ତ୍ରୁଟିର ସମାଧାନ ପାଇଁ ୧୨ଟି ଆଧାର ସଂଶୋଧନ କେନ୍ଦ୍ର ରହିଛି। ଆବେଦନର କୌଣସି ନିର୍ଦ୍ଧାରିତ ସମୟସୀମା ନଥିବା ବେଳେ ଆବେଦନକାରୀ ମାନେ ସେପ୍ଟେମ୍ବର ୧୭ ତାରିଖ ପରେ ମଧ୍ୟ ଆବେଦନ କରିପାରିବେ l ତେଣୁ ଏଥିପାଇଁ ଆଦୌ ବ୍ୟସ୍ତ ନହେବାକୁ ସେ କହିଥିଲେ l ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେୟମୁକ୍ତ ହୋଇଥିବା ବେଳେ ଆଧାର ସଂଶୋଧନ ପାଇଁ ୧୦୦ ଟଙ୍କା ଭିତରେ ଦେୟ ଦେବାକୁ ପଡିବ । ଏଥିସହ ଏହି ସମସ୍ତ ପ୍ରକ୍ରିୟାର ସ୍ଵଚ୍ଛତା ବଜାୟ ରଖିବା ସହ ଏହାର ତଦାରଖ ପାଇଁ ନୋଡ଼ାଲ ଅଫିସରଙ୍କୁ ବିଭିନ୍ନ ସେଣ୍ଟରରେ ନିୟୋଜିତ ଥିବା ସେ ସୂଚନା ଦେଇଥିଲେ।
ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମେତ ରାଉରକେଲା ସହରାଞ୍ଚଳ, ଶିଳ୍ପାଞ୍ଚଳ ଓ ସିଭିଲ ଟାଉନସିପ ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ‘ସୁଭଦ୍ରା ସହାୟତା କେନ୍ଦ୍ର’ ଖୋଲାଯାଇଛି। ‘ସୁଭଦ୍ରା’ ଯୋଜନା ସମ୍ପର୍କିତ ସବିଶେଷ ତଥ୍ୟ ଜାଣିବାରେ ଏହି ସହାୟତା କେନ୍ଦ୍ର ଗୁଡ଼ିକ ବିଶେଷ ସହାୟକ ହେଉଛି। ଏଥି ସହ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୪୬୭୮ ଜାରି କରାଯାଇଛି। ଯଦି କୌଣସି ସମସ୍ୟା ଥାଏ ଆବେଦନକାରୀ ତୁରନ୍ତ ଏହି ନମ୍ବରରେ କଲ୍ କରି ପାରିବେ ବୋଲି ସେ ସୂଚନା ଦେଇଥିଲେ। ‘ସୁଭଦ୍ରା’ ଯୋଜନାର ସମସ୍ତ ତଥ୍ୟ ତଥା ସୂଚନା ଯେପରି ଲୋକଙ୍କ ପାଖରେ ପହଂଚି ପାରିବ ଏଥିପାଇଁ ସଚେତନତା ସୃଷ୍ଟି କରାଯାଉଥିବା ସେ କହିଥିଲେ।
ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ‘ସୁଭଦ୍ରା’ ଯୋଜନା ରାଜ୍ୟର ମହିଳାଙ୍କୁ ସ୍ୱାବଲମ୍ବୀ, ସଶକ୍ତ ଓ ଉଦ୍ୟୋଗୀ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ। ଏହି ଯୋଜନା ଏକ ବିକଶିତ ଭାରତ ଗଠନରେ ମହିଳା ମାନଙ୍କ ଭାଗୀଦାରୀକୁ ସୁନିଶ୍ଚିତ କରିବା ଦିଗରେ ନିଶ୍ଚିତ ଫଳପ୍ରଦ ହେବ ବୋଲି ସେ ମତ ଦେଇଥିଲେ।