ରାଉରକେଲା : ଆଜି ଗଣେଶ ଚତୁର୍ଥୀ।। ସହରରେ ୧୦୦ ରୁ ଅଧିକ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ।। ସୁନ୍ଦର ପ୍ରତିମାକୁ କରାଯାଇଛି ଆକର୍ଷଣୀୟ ସାଜ ସଜ୍ଜା।
ରାଉରକେଲା: ୭/୯ ସାତ୍ୟାନ୍ୟୂଜ୍) ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଆଜି ହେଉଛି ଗଣେଶଙ୍କ ଜନ୍ମତ୍ସବ। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା। ରାଉରକେଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, କ୍ଲବ୍ , ବ୍ୟାଙ୍କ୍ ସହ ଗଳି କନ୍ଦି ରେ ଆଜି ପୂଜା ପାଉଛନ୍ତି ଗଜାନନ । ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସମେତ ରାଜଗାଙ୍ଗପୁର , ବିରମିତ୍ରପୁର , ବଣାଇ , ସୁନ୍ଦରଗଡ଼ ଆଦି ସ୍ଥାନରେ ଧୁମ୍ ଧାମ୍ ରେ ଗଣେଶ ପୂଜା କରା ଯାଉଛି। କେବଳ ରାଉରକେଲାରେ ୧୦୦ରୁ ଅଧିକ ସ୍ଥାନରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ପ୍ରଶାସନ ପକ୍ଷରୁ ୧୧ ଏବଂ ୧୩ ସେପ୍ଟେମ୍ବର ଦୁଇ ଦିନ ଲାଗି ଭସାଣି ଶୋଭାଯାତ୍ରା ପାଇଁ ନିଷ୍ପତ୍ତି ନିଆ ଯାଇଛି। ତେବେ କେତେକ ପୂଜା ମଣ୍ଡପରେ ୧୦ ରୁ ୧୫ ଦିନ ପୂଜା ଚାଲିବା ନେଇ ସୂଚନା ମିଳିଛି। ୧୪ ନମ୍ବର ସେକ୍ଟର ନନ୍ଦ ଗାଁ ଗୋଶାଳାର ଗଣେଶ ଜନ୍ମତ୍ସବ ଲାଗି ୧୧ ଦିନ ବ୍ୟାପୀ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରା ଯାଉଛି। ରାଉରକେଲା ସିଭିଲ ଟାଉନଶିପ୍, ବାସନ୍ତୀ କଲୋନୀ , ଛେଣ୍ଡ କଲୋନୀ , ପାୱାର ହାଉସ୍ ରୋଡ , ଡେଲି ମାର୍କେଟ , ସେକ୍ଟର ଅଞ୍ଚଳରେ ଆକର୍ଷଣୀୟ ତୋରଣ ମାନ ନିର୍ମାଣ କରାଯାଇଛି।
ରାଉରକେଲା ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ବର, କଟକ, ବାଲେଶ୍ଵର , ଭଦ୍ରକ , ଯାଜପୁର , ଢେ଼ଙ୍କାନାଳ ଆଦି ସ୍ଥାନରେ ମଧ୍ୟ ଗଣେଶ ପୂଜା ଆଡମ୍ବର ସହକାରେ ପାଳନ କରା ଯାଉଛି। ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି ସମସ୍ତଙ୍କ ମନ ମୋହୁଛି।
ଆଜି ଶ୍ରୀମନ୍ଦିର ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯିବ । ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳିତ ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ, ନୃତ୍ୟ ଗଣପତି, ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ।
ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ତହିଁ ଉପରେ ପତନୀ ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ୨୨ଟି ନଡ଼ିଆ ଭଙ୍ଗାଯାଇଥାଏ। ବଟ ଗଣେଶଙ୍କ ମନ୍ଦିରରେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ସମବେତ ହୋଇଥାନ୍ତି। ଶ୍ରୀଗଣେଶଙ୍କ ପୂଜା ନିମିତ୍ତ ଧୂପ, ଦୀପ, ଭୋଗ ଦ୍ରବ୍ୟ ଧରି ପୂଜାର୍ଚ୍ଚନା କରିଥାନ୍ତି।