ରାଉରକେଲା: ୨୦/୮(ସତ୍ୟାନ୍ୟୁଜ) ଆଳୁ ପରେ ପରେ ପିଆଜ ଦର ବଢିବା ଏବେ ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଆଳୁ କିଲୋଗ୍ରାମ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ରେଟ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ କିଲୋ ପିଛା ଏବେ ରାଉରକେଲାରେ ୫୦ ଟଙ୍କାରେ ପହଞ୍ଚିଲାଣି। ଫଳରେ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ପରିବା ରେଟ୍ରେ ହାତ ମାରି ହେଉ ନ ଥିବା ବେଳେ ଆଳୁ, ପିଆଜ ରେଟ୍ ବି ଆକାଶଛୁଆଁ। ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ପରିବା କିଣିବା କମି ଯାଇଛି।
ଦୀର୍ଘ ଦିନ ହେଲା ଆଳୁ କିଲୋ ପିଛା ୪୦ ଟଙ୍କା ଥିବା ବେଳେ ଏହାର ଦର କମୁ ନାହିଁ। ମାତ୍ର ପିଆଜ କିଲୋ ପିଛା ପ୍ରାୟ ୩୫ ଟଙ୍କା ଥିବା ବେଳେ ଦିନେ ଦୁଇ ଦିନ ଭିତରେ କିଲୋ ପ୍ରତି ୧୦ରୁ ୧୫ ଟଙ୍କା ବଢ଼ିଲାଣି । ଏବେ ମାର୍କେଟରେ ଛୋଟ ସାଇଜ୍ ପିଆଜ କିଲୋଗ୍ରାମ ପ୍ରତି ୪୫ ଟଙ୍କାରେ ମିଳୁ ଥିବା ବେଳେ ବଡ ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି।
ନାସିକରୁ ପିଆଜ କମ ଆସୁଥିବାରୁ ଦର ଅଧିକ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ରାଉରକେଲାକୁ ୩ ଦିନ ହେଲା ପିଆଜ ଗାଡ଼ି ଆସୁ ନାହିଁ। ଆଗକୁ ପିଆଜ ଆମଦାନୀ କମିଲେ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି ।
ଆଳୁ ଗାଡ଼ି ଆସିବା ମଧ୍ୟ କମି ଯାଇଛି। ଉତ୍ତର ପ୍ରଦେଶ ରୁ ଆସୁଥିବା ଆଳୁ ନେବାକୁ ଲୋକଙ୍କ ମନରେ ଆଗ୍ରହ ନାହିଁ। ପରିବା ବଜାରର ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇ ପଡ଼ିଥିବା ଖାଉଟି ଏବେ ଆଳୁ , ପିଆଜ ଦର ବୃଦ୍ଧି ରେ ଅତିଷ୍ଠ ହୋଇ ପଡିଛନ୍ତି।