ସୁନ୍ଦରଗଡ଼ : ମାନବ ଚାଲାଣ ରାକେଟ୍ ର ୬ଜଣ ସଦସ୍ୟ ଗିରଫ।। ୨ ନାବାଳିକା ରାଜସ୍ଥାନରୁ ଉଦ୍ଧାର।। ଜଣେ ନାବାଳିକା ଗର୍ଭବତୀ।
- ଯୁବତୀ ଚାଲାଣ ରାକେଟ୍ ର ପର୍ଦ୍ଦାଫାସ କଲା ସୁନ୍ଦରଗଡ଼ ପୋଲିସ୍।
- ରାକେଟ୍ ର ୬ ଜଣ ସଦସ୍ୟ ଗିରଫ।
- ୨ ନାବାଳିକା ରାଜସ୍ଥାନ ରୁ ଉଦ୍ଧାର
ସୁନ୍ଦରଗଡ : ୨୦/୮(ସତ୍ୟାନ୍ୟୁଜ) ଏକ କିଡନାପ୍ କେଶ୍ ର ତଦନ୍ତ କରୁ କରୁ ସୁନ୍ଦରଗଡ଼ ପୋଲିସ୍ ଏକ ଯୁବତୀ ଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି। କୁତ୍ରା ପୋଲିସ ଏ ବାବଦରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ନାବାଳିକାଙ୍କୁ ରାଜସ୍ଥାନ ରୁ ଉଦ୍ଧାର କରିଛି। ଗିରଫ ଦଲାଲଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଦିବ୍ୟାଙ୍ଗ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ସୋନୁ ଶର୍ମା, ପିଙ୍କି ଦେବୀ, ସେକ୍ ଅସରଫ ଅଲୀ (ଦିବ୍ୟାଙ୍ଗ), ମନୁ ଶର୍ମା, ରାଜସ୍ଥାନର ସଚିନ ରାୟ ଗୌତମ ଓ ରମେଶଚନ୍ଦ କୁଶୱାହା ଏ ସଂପର୍କରେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ରାଜଗାଙ୍ଗପୁର ଏସ୍ଡିପିଓ ଅଭିଷେକ ପାଣିଗ୍ରାହୀ ।
ଗତବର୍ଷ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ନିଖୋଜ ହୋଇ ଯାଇଥିଲେ । ନିଖୋଜ ହେବାର ପ୍ରାୟ ୭ ମାସ ପରେ ଗତ ମେ’ ମାସରେ ନାବାଳିକାଜଣକ ଘରକୁ ଫୋନ କରି ମତେ ବଞ୍ଚାଅ ବୋଲି କହିଥିଲେ । ନାବାଳିକାଙ୍କଠାରୁ ଫୋନ୍ ପାଇବା ପରେ ପରିବାର ଲୋକ କୁତ୍ରା ଥାନାକୁ ଯାଇ ଏତଲା ଦେଇଥିଲେ । ରାଜଗାଙ୍ଗପୁର ଏସ୍ଡିପିଓଙ୍କ ନେତୃତ୍ବରେ କୁତ୍ରା ଥାନା ଅଧିକାରୀଙ୍କ ସମେତ ଏକ ୯ଜଣିଆ ଟିମ୍ ଘଟଣାର ତଦନ୍ତ କରିବା ସହ ମୋବାଇଲ କଲ୍ ଟ୍ରାକ୍ କରି ରାଜସ୍ଥାନର ବାରା ଜିଲ୍ଲାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଜଣକ Γ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କୁତ୍ରା ପୁଲିସ୍ ସେହି ପାଖରୁ ରାୟଗଡ଼ା ଜିଲ୍ଲାର ଅନ୍ୟ ଜଣେ ନାବାଳିକାଙ୍କୁ ମଧ୍ୟ ଉଦ୍ଧାର କରିଛି। ଉଭୟ ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣା ପଡ଼ିଛି।
ନାବାଳିକାଦ୍ବୟ ଉଦ୍ଧାର ପରେ ଯୁବତୀଚାଲାଣ ରାକେଟ୍ର ପର୍ଦ୍ଦାଫାସ ହୋଇଛି। ଏଠାକାର ଦଲାଲମାନେ ଗରିବ, ଅସହାୟ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ଦିଲ୍ଲୀରେ ମୋଟା ଦରମାର ଚାକିରି ପ୍ରତିଶ୍ରୁତି ଦେଇ ନେଇ ଯାଉଥିଲେ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ରଖି ସେମାନଙ୍କୁ ପ୍ରଥମେ ଶାରୀରିକ ଶୋଷଣ କରୁଥିଲେ ଓ ପ୍ରତିବାଦ କଲେ ମାଡ଼ ମାରୁଥିଲେ । ପରେ ସେମାନଙ୍କ ନକଲି ଆଧାର କାର୍ଡ ତିଆରି କରି ରାଜସ୍ଥାନରେ ନେଇ ବିକ୍ରି କରି ଦେଉଥିଲେ। ସେମାନଙ୍କୁ କିଣୁଥିବା ଲୋକେ ଜୋରଜବରଦସ୍ତି ନାବାଳିକାଙ୍କୁ ବିବାହ କରିବା ସହ ପ୍ରତିବାଦ କଲେ ଅକଥନୀୟ ନିର୍ଯାତନା ଦେଉଥିଲେ। ପ୍ରତିଦିନ ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ବନ୍ଦୀ କରି ରଖୁଥିଲେ |
ନାବାଳିକା ଜଣକ କୌଶଳକ୍ରମେ ଫୋନ୍ କରି ଘରକୁ ଜଣାଇବାରୁ ହିଁ ଉଦ୍ଧାର ପାଇଛନ୍ତି । ହେଲେ ଏହି ଅଞ୍ଚଳର ଶହଶହ ଯୁବତୀ ରାଜସ୍ଥାନରେ ବାଧ୍ୟବାଧକତାରେ ରହୁଥିବା ଜଣାପଡ଼ିଛି। ଏପରି ହେଲା ପରେ ଅନେକ ଭାଗ୍ୟକୁ ଆଦରି ସେଠାରେ ପଡ଼ି ରହୁଛନ୍ତି । ସନ୍ତାନ ଜନ୍ମ ନହେବା ପର୍ଯ୍ୟନ୍ତ ସଂପୃକ୍ତ ଯୁବତୀମାନଙ୍କୁ ଏକପ୍ରକାର ବନ୍ଦୀ କରି ରଖାଯାଉଛି| ଦଲାଲ ମାନେ କୁତ୍ରା ଯୁବତୀଙ୍କୁ ୨ ଲକ୍ଷ ४० ହଜାର ଟଙ୍କାରେ ରାଜସ୍ଥାନର ରମେଶଚନ୍ଦ କୁସୱାହକୁ ବିକ୍ରି କରି ଦେଇଥିବା ପୁଲିସ ଆଗରେ ସ୍ଵୀକାର କରିଛନ୍ତି | ରମେଶ ତାଙ୍କୁ ଜୋରଜବରଦସ୍ତ ବିବାହ କରି ଗର୍ଭବତୀ କରିବା ସହ ହାତଗୋଡ଼ ବାନ୍ଧି ନିର୍ଯାତନା ଦେଉଥିଲା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ଦଲାଲ ମାନେ ମୁଖ୍ୟତଃ ଅସହାୟ ଝିଅଙ୍କୁ ଟାର୍ଗେଟ କରୁଥିଲେ। ଷ୍ଟେସନ , ବସ୍ ଷ୍ଟାଣ୍ଡ ଆଦି ଅଞ୍ଚଳରେ କାମ କରୁଥିବା ଯୁବତୀ , ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଏବଂ ବିଶ୍ୱାସ ଜନ୍ମାଇ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ଏହି ମାନବ ଚାଲାଣ ରକେଟ୍ ପ୍ରତି ସତର୍କ ରହିବାକୁ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।