ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା।। ନେତାଜୀ ପାର୍କ ରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ।

0 394

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ
୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ଆୟୋଜିତ ହେଲା ବିଶାଳ ତ୍ରିରଙ୍ଗା ଯାତ୍ରା
ସ୍ଥାନୀୟ କଳାକାରଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ

ରାଉରକେଲା : ୧୪/୮(ସତ୍ୟାନ୍ୟୁଜ) ଶାନ୍ତି, ସାହସର ପ୍ରତୀକ ଜାତୀୟ ପତାକାକୁ ସମ୍ମାନ ଦେବା ସହ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ, ରାଷ୍ଟ୍ରଭକ୍ତି ଭାବ ଜାଗ୍ରତ କରିବା ପାଇଁ ସମଗ୍ର ଦେଶରେ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏହି ଅଭିଯାନ ଅନ୍ତର୍ଗତ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବୁଧବାର ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଉରେକଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ସ୍ଥାନୀୟ ମଧୁସୂଦନ ମାର୍ଗରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗା ଯାତ୍ରା ଆରଏମସି ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ଥିବା ନେତାଜୀ ସୁଭାଷ ବୋଷ ପାର୍କରେ ଶେଷ ହୋଇଥିଲା। ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧ ନାରା ଦେଇ ୫୦୦ରୁ ଉର୍ଦ୍ଧ୍ୱ ଜନତା ତ୍ରିରଙ୍ଗାକୁ ସମ୍ମାନ ଦେବା ପୂର୍ବକ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହା ସମଗ୍ର ଅଞ୍ଚଳକୁ ତ୍ରିରଙ୍ଗାମୟ କରିଥିଲା। ଏହି ବିଶାଳ ଯାତ୍ରାରେ ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶନ ଶକ୍ତି ମହିଳା, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଆରଏମସି କର୍ମଚାରୀଙ୍କ ସହ ସାଧାରଣ ଜନତା ସାମିଲ ହୋଇଥିଲେ।

ତ୍ରିରଙ୍ଗା ଯାତ୍ରା ନେତାଜୀ ସୁଭାଷ ବୋଷ ପାର୍କରେ ପହଂଚିବା ପରେ ତ୍ରିରଙ୍ଗା ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ପରିବେଷଣ କରାଯାଇଥିବା ନୃତ୍ୟ ଗୁଡ଼ିକ ସହ ବଂଶୀ ବାଦନ ପରିବେଶକୁ ଦେଶ ଭକ୍ତିମୟ କରିଥିଲା। ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ କମିଶନର ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇଥିଲେ।

ଅତିଥିମାନେ ୨୦୦ ବର୍ଷର ବ୍ରିଟିଶ ଶାସନରୁ ଆମ ଦେଶକୁ ମୁକ୍ତ କରିବା ପାଇଁ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ ସ୍ଵାଧୀନତା ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ର ପ୍ରେମ, ରାଷ୍ଟ୍ର ପ୍ରୀତି ଭାବ ଜାଗ୍ରତ କରିବା ସହ ଜାତୀୟ ଏକତାର ପ୍ରତୀକ ତ୍ରିରଙ୍ଗା ପତାକାକୁ ସର୍ବୋଚ୍ଚ ସମ୍ମାନ ଦେବା ପାଇଁ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ସଭିଏଁ ନିଜ ଘରେ ଜାତୀୟ ଧ୍ଵଜା ଉତ୍ତୋଳନ କରିବା ପାଇଁ ସମବେତ ଜନତାଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏଥି ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ବିକଶିତ ରାଷ୍ଟ୍ର ଗଠନରେ ସମସ୍ତେ ବ୍ରତୀ ହେବାକୁ ଅତିଥିମାନେ ଆହ୍ଵାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫତିମା ଏକ୍କାଙ୍କ ସହ ଆରଏମସି କର୍ମଚାରୀ, ସ୍ଥାନୀୟ ଏସଏଚଜି ମହିଳା, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.