ରାଉରକେଲା : ୨/୮ (ସତ୍ୟାନ୍ୟୁଜ)
ବ୍ୟବସାୟୀ ବସନ୍ତ ବଡାଇକ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ବିରମିତ୍ରପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବସନ୍ତଙ୍କ ଡ୍ରାଇଭର ଚିତ୍ତ ରଂଜନ ସିଂ ଏବଂ ବ୍ୟବସାୟିକ ପ୍ରତିଦ୍ବନ୍ଦୀ ରାମ କୁମାର ସାହୁ। ହତ୍ୟାକାଣ୍ଡରେ ଜଡିତ ଆଉ ତିନି ଜଣ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ବ୍ୟବସାୟୀକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ହାତୀବାରି ଥାନା ଅଞ୍ଚଳରେ ରହୁଥିବା ବସନ୍ତ ବଡାଇକ ଗୋରୁ ବ୍ୟବସାୟ ରେ ସାମିଲ ଥିଲେ। ସେହି ଅଞ୍ଚଳର ରାମ କୁମାର ସାହୁ ଏବଂ ଅନ୍ୟ କେତେକ ଲୋକ ମଧ୍ୟ ଏହି ବ୍ୟବସାୟ ରେ ଥିଲେ। ଗୋରୁ ବ୍ୟବସାୟ କୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଶତ୍ରୁତା ଥିଲା। ଗତବର୍ଷ ଜୁଲାଇ ୭ ତାରିଖରେ ରାମ କୁମାର ଏବଂ ଅନ୍ୟଜଣେ ବସନ୍ତ ଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ହୋଇ ଥିଲେ। ଜେଲ୍ ରୁ ଆସିବା ପରେ ପୁଣି ବସନ୍ତ ଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ଏହି ଯୋଜନାରେ ବସନ୍ତଙ୍କ ଡ୍ରାଇଭର କୁ ମଧ୍ୟ ସାମିଲ କରା ଯାଇଥିଲା। ଜୁଲାଇ ୨୯ ରାତିରେ ବସନ୍ତ ବଡାଇକ ଡ୍ରାଇଭର ସହ କାର ରେ ରାଉରକେଲାରୁ ହାତିବାରି ଫେରୁଥିବା ବେଳେ କୁଆରମୁଣ୍ଡା- ହାତିବାରି ରୋଡ଼ ରେ ତାଙ୍କୁ କାର ରୁ ଟାଣି ନେଇ ହତ୍ୟା କରାଯାଇଥିଲା। ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି।