ରାଉରକେଲା : ବିଜେପି ପରାଜୟର କାରଣ ଖୋଜୁଛି।। ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ।। ଆରଏମସି ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ କର୍ମୀଙ୍କୁ ପରାମର୍ଶ।
ରାଉରକେଲା : ୭/୬ (ସତ୍ୟାନ୍ୟୁଜ) ସରି ଯାଇଛି ନିର୍ବାଚନ। ଏବେ ଚାଲିଛି ହାର ଜିତ୍ ର ହିସାବ କିତାବ। ଜିତିବା ଦଳ କମ ଭୋଟ୍ କାହିଁକି ମିଳିଲା ର ତର୍ଜମା କରୁଥିବା ବେଳେ ହାରିବା ଦଳ ପରାଜୟର କାରଣ ଖୋଜୁଛି। ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ପରାଜୟ ବରଣ କରିଛି। ହାରିବା କାରଣର ସମୀକ୍ଷା ଲାଗି ବିଜେପି ଦଳର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ୱାର୍ଡ ଏବଂ ବୁଥ ସ୍ତରୀୟ ନେତା ତଥା କର୍ମୀ ମାନେ ଯୋଗ ଦେଇଥିଲେ । ସିଭିଲ ଟାଉନଶିପ୍ , ଛେଣ୍ଡ , ବାସନ୍ତୀ କଲୋନୀ , ଡେଲି ମାର୍କେଟ , ପାୱାର ହାଉସ ରୋଡ଼ , କୋଏଲ ନଗର , ମେନ୍ ରୋଡ଼ ଆଦି ଅଞ୍ଚଳରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ବେଶ ଆଗୁଆ ଥିଲେ। ମାତ୍ର କିଷାନ ଟୋଲା , ବାଲୁଘାଟ, ନୟାବଜାର , ପ୍ଲାଣ୍ଟସାଇଟ , ନାଲାରୋଡ଼ , ଭାଟି ରୋଡ଼ , ଝିରିପାଣି , ଜଗଦା , ବନ୍ଧମୁଣ୍ଡା , ଦେଓଗାଁ ଆଦି ଅଞ୍ଚଳରେ ବେଶ ପଛୁଆ ଥିବା ସମୀକ୍ଷାରେ ଜଣା ପଡିଥିଲା। ତେବେ ରାଉରକେଲା ବିକାଶରେ ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଦିଲ୍ଲୀପ ରାୟ କହିଥିଲେ। ଏହା ସହ ଆଗକୁ ହେବାକୁ ଥିବା ମହାନଗର ନିଗମ ନିର୍ବାଚନରେ ବିଜେପି କିପରି ସମସ୍ତ ୪୦ଟି ୱାର୍ଡରେ ବିଜୟ ଲାଭ କରିବ ସେଥିଲାଗି ଏବେ ଠାରୁ କାମ କରିବାକୁ ଦିଲ୍ଲୀପ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।