ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଦିଲ୍ଲୀରେ ବୈଠକ।। ଜନତା ମଇଦାନରେ ଶପଥ ଗ୍ରହଣ ଲାଗି ପ୍ରସ୍ତୁତି ଜୋରଦାର।। ରାଜ୍ୟ ବିଜେପି ସଭାପତି ଏବଂ ସମସ୍ତ ସାଂସଦ ଦିଲ୍ଲୀରେ।
ଭୁବନେଶ୍ୱର : ୭/୬ (ସତ୍ୟାନ୍ୟୁଜ) ଆସନ୍ତା ୧୦ ତାରିଖରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି। ୨୫ ବର୍ଷ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ସହ ନୂତନ ସରକାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ବେଳେ ଓଡ଼ିଶାରେ ଜୁନ ୧୦ ତାରିଖରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ହେବ ବୋଲି କହିଥିଲେ। ଏହାକୁ ନଜରରେ ରଖି ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୩୦ ହଜାର ଲୋକଙ୍କ ସମାବେଶ ହେବାର ଥିବାରୁ ସେହି ଅନୁସାରେ ନିର୍ମାଣ କାର୍ଯ୍ୟ ଚାଲିଛି। ଶପଥ ଗ୍ରହଣ ଲାଗି ମଞ୍ଚ ବନ୍ଧା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ନିର୍ବାଚନ ହୋଇ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ଚୟନ ହୋଇନାହିଁ। ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଆଜି ଦିଲ୍ଲୀରେ ମାନସ ମନ୍ଥନ ହେବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ବିଧାନସଭା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ସମସ୍ତ ସାଂସଦ ଦିଲ୍ଲୀ ଯାଇଛନ୍ତି। ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।