ରାଉରକେଲା : ଘାତକ ହେଉଛି ଅଂଶୁଘାତ।। ଜିଲ୍ଲାରେ ବୃଦ୍ଧି ପାଉଛି।ମୃତ୍ୟୁ ସଂଖ୍ୟା।। ସ୍ଥିତିର ସମୀକ୍ଷା ଲାଗି ପହଞ୍ଚିଲେ ରାଜ୍ୟ ତଥା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍।

0 265

ରାଉରକେଲା : ୧/୫ (ସତ୍ୟାନ୍ୟୁଜ) ଘାତକ ହେଲାଣି ଅଂଶୁଘାତ। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ ଜିଲ୍ଲା ସମେତ ରାଉରକେଲାରେ ଅଂଶୁଘାତରେ ମୃତ୍ୟୁ ତଥା ଆକ୍ରାନ୍ତଙ୍କ ସ୍ଥିତିର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୩ଜଣ ବରିଷ୍ଠ ଅଧିକାରୀ ପହଞ୍ଚିଲେ ରାଉରକେଲା। ସାଙ୍ଗରେ ଅଛନ୍ତି ସୁନ୍ଦରଗଡ଼ର ୩ ଜଣ ବରିଷ୍ଠ ଡାକ୍ତର। ସ୍ଥିତିର ସମୀକ୍ଷା ଲାଗି ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ମଧ୍ୟ ରାଉରକେଲା ପହଞ୍ଚିବେ ବୋଲି ଜଣାପଡିଛି।
ହସ୍ତଗତ ହୋଇଥିବା ହିସାବ ଅନୁସାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୨୫ ହୋଇଥିବା ବେଳେ ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗୁରୁବାର ଦିନ ୧ଟା ୩୦ରୁ ଶୁକ୍ରବାର ସଂଧ୍ୟା ୫ଟା ୩୦ ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅବଶ୍ୟ ଏଥିରୁ ୮ ଜଣ ରୋଗୀଙ୍କ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ମୃତ୍ୟୁ ହୋଇ ସାରିଥିଲା। ଆର୍‌ଜିଏଚ୍‌ରେ ମୃତକମାନେ ହେଲେ ମଧୁସୂଦନପାଲିର ରଣଜିତ ସାହୁ (୨୩), ଛେଣ୍ଡକଲୋନିର ମଞ୍ଜୁ ବାର୍ଲା (୩୮), ହାତୀବାରିର ମୁନି କୁମ୍ଭାର (୫୪), ଜଲଦା ଏ ବ୍ଲକର ଫୁଲମଣି ବଡାଇକ (୩୦), ଜଲଦା ସି ବ୍ଲକର ମଙ୍ଗଳା ସମାସୀ (୬୯), ଝିରପାଣିର ବିଚା ମାହାଲି (୪୦), ଲାଠିକଟା ଗର୍ଜନର ସାବିତ୍ରୀ ଗୌଡ (୪୦), ଝାଡ଼ତରଙ୍ଗର ଗଣେଶ ତନ୍ତୀ (୩୭), କୁତ୍ରାର ପ୍ରେମଲତା ଏକ୍କା (୬୦), ରାଉରକେଲା ପ୍ଲାଣ୍ଟସାଇଟ୍‌ର ଇନ୍ଦ୍ର ଚୁରା (୬୦), ଶକ୍ତିନଗରର ଇନ୍ଦ୍ରଜିତ ସିଂହ (୬୨), ରାଉକେଲାର ନେଗି ମିଞ୍ଜ (୬୦)। ଏହାଛଡ଼ା ଆଜାଦ ବସ୍ତି ସେକ୍ଟର-୨ର ଜଣେ ୫୦ ବର୍ଷୀୟ ପୁରୁଷ ଓ ରେଳ କଲୋନିର ୭୦ ବର୍ଷୀୟା ମହିଳା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆର୍‌ଜିଏଚ୍‌ରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ୨୫ରୁ ଅଧିକ ଅଂଶୁଘାତ ରୋଗୀ ୪ଟି ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ରେ ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଜଣେ ମହିଳା ଖରାରେ ବୁଲିବୁଲି ଜରି ଗୋଟାଉଥିବାବେଳେ ଟଳିପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ରେ ମେଡିକାଲ୍‌ କଲେଜ୍‌ର ୨ ଜଣ ମହିଳା ଡାକ୍ତରଙ୍କ ସମେତ ବହୁ ଲୋକ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହାଛଡ଼ା ଶୁକ୍ରବାର ରାଜଗାଙ୍ଗପୁର ପୌରପାଳିକାରେ କାର୍ଯ୍ୟରତ ଆମ୍ବେଦକର କଲୋନିର ଲକ୍ଷ୍ମଣ ମହାନନ୍ଦିଆ (୩୫) ରୌଦ୍ରତାପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷିତ କରାଯାଇଥିଲା। ଆଉ ଦୁଇଜଣଙ୍କୁ ଗୁରୁତର ଅଂଶୁଘାତ ରୋଗୀଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେହିପରି ବନ୍ଧମୁଣ୍ଡା ରେଳବାଇ ହସ୍‌ପିଟାଲ୍‌ରେ କେ ୟେଟି ରାଜୁ (୫୨) ନାମକ ରେଳ କର୍ମଚାରୀଙ୍କର ଗୁରୁବାର ମୃତ୍ୟୁ ହୋଇଛି।
ଏସବୁ ଅସ୍ବାଭାବିକ ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ଅଂଶୁଘାତ କାରଣରୁ ଜୀବନ ଯାଇଥିବା କୁହାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁକ୍ରବାର ଆର୍‌ଜିଏଚ୍‌ରେ ସ୍ଥିତିର ସମୀକ୍ଷା କରିଛନ୍ତି। ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରାଯାଇଥିଲା। ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଆର୍‌ଜିଏଚ୍‌ ନିର୍ଦ୍ଦେଶକ, ଅଧୀକ୍ଷକକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ଅଂଶୁଘାତ ମୁକାବିଲା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ରୋଗୀମାନେ ତାତିରୁ ରକ୍ଷା ପାଇବାକୁ ପ୍ରତ୍ୟେକ ୱାର୍ଡରେ ଆବଶ୍ୟକ ସଂଖ୍ୟକ କୁଲର ବ୍ୟବସ୍ଥା କରିବା ତଥା ପ୍ରତ୍ୟେକ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ରୋଗୀମାନଙ୍କୁ ଆବଶ୍ୟକସ୍ଥଳେ ଉପଯୁକ୍ତ ସୁବିଧା ଥିବା ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ବିଭାଗୀୟ ଡାକ୍ତରଙ୍କୁ କହିଛନ୍ତି। ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆର୍‌ଜିଏଚ୍‌ର ସ୍ବତନ୍ତ୍ର ୱାର୍ଡ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି। ତ୍ବରିତ ଚିକିତ୍ସା ସେବା ଯୋଗାଇଦେବାକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଟିମ୍‌ ଆର୍‌ଜିଏଚ୍‌ରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ପାଇଁ ଆର୍‌ଜିଏଚ୍‌ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ନେତୃତ୍ବରେ ୪ ଜଣିଆ ଟିମ୍‌ ଗଠନ କରାଯାଇଛି। ଗତକାଲି ଓ ଆଜି ମୃତ୍ୟୁବରଣ କରିଥିବା ରୋଗୀଙ୍କର ପୁଲିସ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଉଛି। ଜିଲ୍ଲାପାଳ ଶ୍ରୀ ଗାଭାଲି କହିଛନ୍ତି, ଚିକିତ୍ସାଧୀନ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆଗାମୀ ୨/୩ ଦିନ ତାତି ରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଥିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜରୁରୀ କାମ ନଥିଲେ କେହି ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଅଂଶୁଘାତ ଯୋଗୁ ନା ଅନ୍ୟ କେଉଁ କାରଣରୁ ହୋଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ଓକିଲ ସଂଘ ଓ କଂଗ୍ରେସ ଦଳର ପ୍ରତିନିଧି ଅଂଶୁଘାତ ୱାର୍ଡ ବୁଲି ସ୍ଥିତି ସମ୍ପର୍କରେ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ଆଲୋଚନା କରିଛନ୍ତି। ସୁନ୍ଦରଗଡ଼ରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ , ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ , କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ରାଉରକେଲା ଆସି ମୃତ୍ୟୁ ଗୁଡ଼ିକର କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.