ରାଉରକେଲା : ଅଂଶୁଘାତରେ ଗୋଟିଏ ଦିନରେ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା।। କେବଳ ରାଉରକେଲାରେ ୧୨ଜଣ ଅଂଶୁଘାତର ଶିକାର।
ରାଉରକେଲା : ୩୧/୫ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଉରକେଲାରେ ୧୨ ଜଣ , ବନ୍ଧମୁଣ୍ଡାରେ ଜଣେ ଏବଂ ସୁନ୍ଦରଗଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁବାର ଦିନ ଅପରାହ୍ନ ୨ଟାରୁ ରାତି ୮ଟା ମଧ୍ୟରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ ଗୁରୁବାର ଦିନ ଦେଢ଼ଟା ସମୟରେ ପ୍ରଥମ ମୃତ ବ୍ୟକ୍ତିଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଅଣା ଯାଇଥିଲା। ତାଙ୍କର ଶରୀର ଉତ୍ତାପ ୧୦୪ ଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ସମାନ ରୋଗୀ ଆରଜିଚ୍ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ମୃତ ଅବସ୍ଥାରେ ଅଣା ଯାଇଥିଲା। ଖବର ପାଇ ରାଉରକେଲା ଏଡିଏମ ଆଶୁତୋଷ କୁଲକର୍ଣ୍ଣି ସରକାରୀ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ଏବେ ସରକାରୀ ଭାବେ ଦୁଇଜଣଙ୍କ ଅଂଶୁଘାତ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା କୁହା ଯାଉଛି। ତେବେ ପୋଷ୍ଟମର୍ଟମ ପରେ ଅନ୍ୟ ମାନଙ୍କ ମୃତ୍ୟୁର କାରଣ ଜଣା ପଡିବ। ଅଂଶୁଘାତର ଶିକାର ଲୋକଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଥିବା ରାଉରକେଲା ଏଡିଏମ କହିଛନ୍ତି।