ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ରାଉରକେଲା ଫଳ ବଜାରରେ ଏବେ ରାଜ୍ କରୁଛି ଲିଚୁ। ରାସ୍ତା କଡରେ ଯୁଆଡେ ଚାହିଁବ ଦେଖିବାକୁ ମୁଳୁଛି ଲିଚୁର ପସରା। ପ୍ରତିବର୍ଷ ଏହି ସମୟରେ ବିହାରର ମୁଜ଼ାଫରପୁରରୁ ଆସିଥାଏ ସ୍ୱାଦିଷ୍ଟ ଲିଚୁ। ଏହି ଲିଚୁ ମାଂସାଳ ହେବା ସହ ବେଶ୍ ମିଠା ଲାଗେ। ତେଣୁ ଏହି ଲିଚୁର ଚାହିଦା ବେଶୀ। ଏଥର କିନ୍ତୁ ମୁଜାଫରପୁର ଲିଚୁକୁ ଟକ୍କର ଦେଉଛି ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଲିଚୁ। ପଡୋଶୀ ରାଜ୍ୟ ଝରଖଣ୍ଡର ବାନୋ , ସିମଡେଗା ଆଦି ଅଞ୍ଚଳରୁ ଆସୁଥିବା ଲିଚୁ ଏବେ ଲୋକ ପସନ୍ଦ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳର ଲିଚୁ ଖଟା ଥିବା ବେଳେ ଏବେ ଏହାର ସ୍ୱାଦ ବଦଳି ଥିବାରୁ ଏହାର ଚାହିଦା ବେଶୀ। ସ୍ଥାନୀୟ ଲିଚୁ ୯୦ ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବିହାରରୁ ଆସୁଥିବା ଲିଚୁର ଦାମ୍ ୧୨୦ ଟଙ୍କା ରହିଛି। ଫଳରେ ଲୋକମାନେ ସ୍ଥାନୀୟ ଲିଚୁ ନେବାକୁ ପସନ୍ଦ କରୁଛନ୍ତି। ପ୍ରତିଦିନ ରାଉରକେଲାକୁ ୨ରୁ ୩ ଟ୍ରକ ଲିଚୁ ଆସୁଥିବାର ସୂଚନା ରହିଛି।