ମୟୁରଭଞ୍ଜ : ୨୬/୫ (ସତ୍ୟାନ୍ୟୁଜ)(ଶ୍ୟାମଲେନ୍ଦୁ ପରିଡ଼ା) ଶିମିଳିପାଳ ଅଭୟାରଣ୍ୟରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ବାଘ ଏବଂ କଳା ବାଘ। ଏହା ନିଶ୍ଚିତ ଭାବେ ଏକ ଖୁସି ଏବଂ ଉତ୍ସାହଜନକ ଖବର। ହାତୀ ଗଣନା ବେଳେ ଏହି ମହାବଳ ବାଘର ଉପସ୍ଥିତି ଜଣାପଡିଛି।
ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଗତ ୨୨ ତାରିଖରୁ ଆରମ୍ଭ ହୋଇଛି ରାଜ୍ୟରେ ହାତୀ ଗଣନା କାର୍ଯ୍ୟକ୍ରମ। ତିନି ଦିନଧରି ଚାଲିବାକୁ ଥିବା ଏହି ହାତୀ ଗଣନା କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ହେବା ସହିତ ଶିମିଳିପାଳରେ ମଧ୍ୟ ଚାଲିଛି। ଏହି ଗଣନା ସମୟରେ ସବୁଜ ବୀର ମାନେ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପରେ ମଞ୍ଚା ବାନ୍ଧି ରାତିରେ ରହି ହାତୀଙ୍କ ଗତିବିଧି ଲକ୍ଷ୍ୟ କରୁଛନ୍ତି । ତା ସହିତ ଜଙ୍ଗଲ ଭିତରେ ଥିବା ବିଭିନ୍ନ ଜଳାଶୟ ମାନଙ୍କରେ ହାତୀଙ୍କର ପାଦ ଚିହ୍ନ ଦେଖି ହାତୀ ଗଣନା କାର୍ଯ୍ୟ କରାଯାଉଛି। ହାତୀ ଗଣନା ଚାଲିଥିବାର କିଛି ଫଟୋ ଏବଂ ଭିଡିଓ ଆସି ସାରିଥିଲା ବେଳେ ହାତୀଙ୍କର ସଂଖ୍ୟା ମଧ୍ୟ ଖୁବଶିଘ୍ର ଆସି ଯିବାର ସମ୍ଭାବନା ରହିଛି। ଏହି ହାତୀ ଗଣନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶିମିଳିପାଳରେ ଲାଗିଥିବା ଗୋଟିଏ କ୍ୟାମେରାରେ ଦୁଇଟି ମହାବଳବାଘର ପ୍ରତିଛବି କଏଦ୍ ହୋଇଛି। ଯେଉଁ ଫୋଟ ଚିତ୍ରରେ ଗୋଟିଏ କଳାବାଘ ସହିତ ଆଉ ଗୋଟିଏ ମହାବଳବାଘର ପ୍ରତିଛବି ରହିଛି। ଦୁଇଟି ଯାକ ବାଘର ଉଚ୍ଚତା ପ୍ରାୟ ସମାନ ଥିବା ଯୋଗୁଁ ଗୋଟିଏ କି ଦୁଇଟି ବାଘ ଅଛନ୍ତି ସହଜରେ ଜାଣିବା କଷ୍ଟକର ହୋଇଛି।ଏହି ଦୁଇଟି ବାଘ ଏକାସାଙ୍ଗରେ ଏମିତି ଚାଲି ଚାଲି ଯାଉଛନ୍ତି ଯେ କଳାବାଘଟି ମହାବଳବାଘର ଛାଇ ଭଳି ଦେଖାଯାଉଛି। ଶିମିଳିପାଳର ଏହି କଳାଧଳା ବାଘର ଫୋଟୋ ଦେଖିବା ପରେ ଶିମିଳିପାଳ ପ୍ରେମୀଙ୍କ ମନରେ ଖୁସି ଦେଖିବାକୁ ମିଳୁଥିବା ସହିତ ଶିମିଳିପାଳରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଆଶା ପ୍ରକାଶ ପାଇଛି।
ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ