ରାଉରକେଲା : ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ।। ତରକେରା ଘାଟରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ।
ରାଉରକେଲା : ୪/୪ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଆଜି ବ୍ରାହ୍ମଣୀ ନଦୀର ତରକେରା ଘାଟରେ ଦୁଇ ଜଣ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ୨୦ ବର୍ଷୀୟ ଯୁବକ ରାଜକୁମାର ମାହାତୋ ଏବଂ ଜରୟୁବ୍ ଖାନ୍। ରାଜକୁମାର ରାଉରକେଲା ଡେଲି ମାର୍କେଟ ଅଞ୍ଚଳର ହୋଇଥିବା ବେଳେ ଜରୟୁବ୍ ଛେଣ୍ଡ ଅଞ୍ଚଳର। ଅନ୍ୟ ଜଣେ ଯୁବକ ଭବେଶ ପ୍ରସାଦଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ଏହି ତିନି ଜଣ ଯୁବକ ବ୍ରାହ୍ମଣୀ ନଦୀର ତରକେରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ରାଜକୁମାର ଏବଂ ଜରୟୁବ୍ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଫାୟାର ବ୍ରିଗେଡ଼ ଟିମ୍ ନଦୀ ଘାଟରେ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କୁ ପାଣିରୁ ବାହାର କରିଥିଲେ। ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ରାଜକୁମାର ମାହାତୋ ପୂର୍ବତନ କାଉନସିଲର ବ୍ରିଜେସ ମହାତୋଙ୍କ ପୁଅ ବୋଲି ଜଣା ପଡ଼ିଛି। ଦୁଇ ଯୁବକଙ୍କ ଅକାଳ ବିୟୋଗରେ ଡେଲିମାର୍କେଟ ଏବଂ ଛେଣ୍ଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।