ରାଉରକେଲା : ୧୦/୪ (ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ଅପରାହ୍ନରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବା ପରେ ଶୁଭେଛୁ ଏବଂ ସମର୍ଥକ ମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ। ବିଜେପି ଟିକେଟରେ ଦିଲ୍ଲୀପ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ମିଡ଼ିଆକୁ ସୂଚନା ଦେଇଥିଲେ। ଏହାକୁ ନେଇ ରାଉରକେଲା ରାଜନୀତି ସରଗରମ ହୋଇ ପଡ଼ିଥିଲା। ଆଜି ଏୟାରପୋର୍ଟରେ ଦିଲ୍ଲୀପ ରାୟଙ୍କୁ ସଂସଦ ଜୁଏଲ ଓରାମ ମଧ୍ୟ ନିଜ ଦଳୀୟ ସମର୍ଥକଙ୍କ ସହ ସ୍ୱାଗତ କରିଥିଲେ। ଦିଲ୍ଲୀପଙ୍କ ଶୁଭେଛୁଙ୍କ ସହ ବିଜେପି , ବିଜେଡି , ବଜରଙ୍ଗ ଦଳ , ବିଶ୍ୱ ହିନ୍ଦୁ ପରିଷଦର ଶହଶହ ସମର୍ଥକ ତାଙ୍କୁ ସ୍ବାଗତ କରିଥିଲେ। ସମର୍ଥକ ଏବଂ ଶୁଭେଛୁଙ୍କ ସ୍ନେହ ଶ୍ରଦ୍ଧା ଦେଖି ମୁଁ ଆଜି ଅଭିଭୂତ ବୋଲି ଦିଲ୍ଲୀପ କହିଛନ୍ତି। ଏହାଛଡା ବିଜେପି , ବିଜେଡି , କଂଗ୍ରେସ , କମ୍ୟୁନିଷ୍ଟ ସବୁ ଦଳର ଲୋକଙ୍କ ସହ ତାଙ୍କର ଭଲ ସଂପର୍କ ରହିଥିବା ଦିଲ୍ଲୀପ କହିଛନ୍ତି।